ଧର୍ମ ସଂସଦ ମାମଲା: ୱାସିମ ରିଜଭି ଓରଫ୍ ଜିତେନ୍ଦ୍ର ତ୍ୟାଗୀ ଗିରଫ

ନୂଆଦିଲ୍ଲୀ: ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ଆପତ୍ତିଜନକ ତଥା ଉତ୍ତେଜନାମୂଳକ ଭାଷଣ ମାମଲାରେ ଉତ୍ତରାଖଣ୍ଡ ପୋଲିସ ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ଓରଫ୍ ଜିତେନ୍ଦ୍ର ତ୍ୟାଗୀଙ୍କୁ ଗିରଫ କରିଛି। ଏହା ସହିତ ୟେତି ନରସିଂହାନନ୍ଦଙ୍କୁ ଗିରଫ କରିବାର ଖବର ମଧ୍ୟ ଅଛି | ତେବେ ଏ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ନରସିଂହାନନ୍ଦଙ୍କ ଗିରଫ ନେଇ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ୱାସିମ ରିଜଭିଙ୍କ ଗିରଫଦାରୀ ଉପରେ କିଛି କହୁଥିବା ଦେଖିବାକୁ ମିଳିଛି।

ରୁଡକିର ନରସନ ସୀମା ଦେଇ ହରିଦ୍ୱାରରେ ପ୍ରବେଶ କରିବା ବେଳେ ଜିତେନ୍ଦ୍ର ତ୍ୟାଗୀ ଓରଫ୍ ୱାସିମ ରିଜଭିଙ୍କୁ ଗିରଫ କରାଯାଇଥିଲା। ଗିରଫ କରାଯିବା ପରେ ତ୍ୟାଗୀଙ୍କୁ ହରିଦ୍ୱାର କୋଟୱାଲୀକୁ ଅଣାଯାଇଥିଲା। ହରିଦ୍ୱାର ସିଟି ଏସପି ସ୍ବତନ୍ତ୍ର କୁମାର ଏହି ସୂଚନା ଦେଇଛନ୍ତି। ଆଇପିସିର ଧାରା ୧୫୩-ଏ ଅନୁଯାୟୀ ରିଜଭିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଉତ୍ତର ପ୍ରଦେଶ ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ୱାସିମ୍ ରିଜଭି ଇସଲାମ ଛାଡ଼ି ଗତ ବର୍ଷ ଡିସେମ୍ବର ୬ ରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

ଗତ ବର୍ଷ ଡିସେମ୍ବର ୧୭ ରୁ ୧୯ ମଧ୍ୟରେ ହରିଦ୍ୱାରରେ ଧର୍ମ ସଂସଦ ଆୟୋଜିତ ହୋଇଥିଲା | ଏହି ଧାର୍ମିକ ସମାବେଶର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ବକ୍ତା ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ମୁସଲିମଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ଆହ୍ବାନ ଦେଇଥିଲେ । ମୁସଲିମ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ନଦେବା ଏବଂ ମୁସଲମାନ ଜନସଂଖ୍ୟା ବୃଦ୍ଧି ନହେବା ନିଶ୍ଚିତ କରିବାକୁ ଧର୍ମ ସଂସଦରେ ବକ୍ତାମାନେ ଆହ୍ବାନ ଦେଇଥିଲେ । ଭିଡିଓ ଭାଇରାଲ ହେବା ପରେ ଉତ୍ତରାଖଣ୍ଡ ଡିଜିପି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।

Comments are closed.