‘ଚାପ ଓ ରାଜନୀତି’ ନେଇ ରାହୁଲଙ୍କ ଚେତାବନୀ ପରେ ଟିମ୍ ଇଣ୍ଡିଆ କୋଚ୍ ଦୌଡ଼ରୁ ଓହରିଲେ ଜଷ୍ଟିନ ଲାଙ୍ଗର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଆଗ୍ରହୀ ଥିଲେ । ହେଲେ ଏହି ପଦ ସହ ଜଡିତ ‘ଚାପ ଏବଂ ରାଜନୀତି’ ନେଇ କେ.ଏଲ୍ ରାହୁଲ ତାଙ୍କୁ ସତର୍କ କରାଇବା ପରେ ସେ ଟିମ୍ ଇଣ୍ଡିଆ କୋଚ୍ ହେବା ଇଚ୍ଛା ଛାଡ଼ି ଦେଇଛନ୍ତି ।

ଆଇପିଏଲର ଚଳିତ ସିଜନରେ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସର ମୁଖ୍ୟ କୋଚ୍ ଭାବେ ଦାୟିତ୍ଵ ତୁଲାଇଥିଲେ ଲାଙ୍ଗର । ‘ବିବିସି ଷ୍ଟମ୍ପଡ୍’ ନାମକ ପଡକାଷ୍ଟକୁ ଲାଙ୍ଗର କହିଛନ୍ତି, ଭାରତୀୟ ଦଳର ମୁଖ୍ୟ କୋଚ୍ ଏକ ଚମତ୍କାର ଅନୁଭୂତି ହୋଇଥାନ୍ତା। ମୁଁ ଚାରି ବର୍ଷ ଧରି ଅଷ୍ଟ୍ରେଲୀୟ ଦଳର କୋଚ୍ ଥିଲି । କିନ୍ତୁ ଏହି କାମ ଅତ୍ୟନ୍ତ କ୍ଲାନ୍ତ ଦାୟକ | ତଥାପି କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ସେ କହିଛନ୍ତି, “ଯେତେବେଳେ ମୁଁ କେ.ଏଲ୍ ରାହୁଲଙ୍କ ସହ କଥା ହେଉଥିଲି, ସେ ମୋତେ କହିଥିଲେ ଯେ ଯଦି ଆପଣ ଆଇପିଏଲ୍ ଦଳରେ ଚାପ ଓ ରାଜନୀତି ଅନୁଭବ କରୁଛନ୍ତି, ତେବେ ଭାରତୀୟ ଦଳର କୋଚିଂ କାମରେ ଏହାଠାରୁ ହଜାରେ ଗୁଣ ଚାପ ଓ ରାଜନୀତି ରହିଛି । ଏହା ଏକ ଭଲ ପରାମର୍ଶ ଥିଲା | ଏହି କାମ ଆକର୍ଷଣୀୟ। କିନ୍ତୁ ବର୍ତ୍ତମାନ ମୁଁ ଏହି ପଦ ଦୌଡ଼ରେ ନାହିଁ ବୋଲି ଲାଙ୍ଗର୍ କହିଛନ୍ତିି।

ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ନିକଟରେ ଆବେଦନ ଆହ୍ବାନ କରିଥିଲା । ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ମଇ । ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ ।

Comments are closed.