ଚାଲିଗଲେ କଥକ ସମ୍ରାଟ ବିରଜୁ ମହାରାଜ

ନୂଆଦିଲ୍ଲୀ: ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଦ୍ମବିଭୂଷଣ ପଣ୍ଡିତ ବିରଜୁ ମହାରାଜ ଆଉ ନାହାନ୍ତି। ହୃଦଘାତ୍ ଯୋଗୁଁ ଏହି କଥକ ସମ୍ରାଟଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କ ନାତି ସ୍ୱରାଂଶ ମିଶ୍ର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । କଣ୍ଠଶିଳ୍ପୀ ଅଦନନ୍ ସାମି ଟ୍ବିଟ୍ କରି ବିରଜୁ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅଦନନ୍ ସାମି ସୋସିଆଲ୍ ମିଡିଆରେ ଲେଖିଛନ୍ତି – ମହାନ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଦୁଃଖିତ। ଆଜି ଆମେ କଳା କ୍ଷେତ୍ରରେ ଏକ ଅନନ୍ୟ ଅନୁଷ୍ଠାନ ହରାଇଛୁ | ସେ ନିଜ ପ୍ରତିଭା ସହିତ ଅନେକ ପିଢିକୁ ପ୍ରଭାବିତ କରିଛନ୍ତି |

ବିରଜୁ ମହାରାଜ ଲକ୍ଷ୍ନୌରେ ୪ ଫେବୃଆରୀ ୧୯୩୮ରେ ଜନ୍ମଗ୍ରହଣ କରିଥିଲେ | ତାଙ୍କର ପ୍ରକୃତ ନାମ ଥିଲା ପଣ୍ଡିତ ବ୍ରଜମୋହନ ମିଶ୍ର | କଥକ ନୃତ୍ୟଶିଳ୍ପୀ ଛଡ଼ା ସେ ଜଣେ ଶାସ୍ତ୍ରୀୟ ଗାୟକ ମଧ୍ୟ ଥିଲେ | ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ମାମୁଁ ଶମ୍ଭୁ ମହାରାଜ ଏବଂ ଲଚ୍ଛୁ ମହାରାଜ ମଧ୍ୟ କଥକ ନୃତ୍ୟଶିଳ୍ପୀ ଥିଲେ। ଦେବଦାସ, ଦେଢ ଇଶ୍କିଆ, ଉମ୍ରାଓ ଜାନ୍ ଏବଂ ବାଜି ରାଓ ମସ୍ତାନୀ ଭଳି ଫିଲ୍ମରେ ବିରଜୁ ମହାରାଜ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ସତ୍ୟଜିତ୍ ରାୟଙ୍କ ଫିଲ୍ମ ‘ଶତରଞ୍ଜ କେ ଖିଲାଡି’ରେ ସଙ୍ଗୀତ ମଧ୍ୟ ଦେଇଥିଲେ।

୧୯୮୩ରେ ବିରଜୁ ମହାରାଜଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା। ଏହା ସହିତ ସେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କାଳିଦାସ ସମ୍ମାନ ମଧ୍ୟ ପାଇଛନ୍ତି | ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ଖୈରାଗଡ ବିଶ୍ୱବିଦ୍ୟାଳୟ ବିରଜୁ ମହାରାଜଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଥିଲା। ୨୦୨୧୨ରେ ତାଙ୍କୁ ‘ବିଶ୍ବରୂପମ୍’ ଚଳଚ୍ଚିତ୍ରରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା | ୨୦୧୬ରେ ବାଜିରାଓ ମସ୍ତାନୀ ଫିଲ୍ମର ଗୀତ ‘ମୋହେ ରଙ୍ଗ ଦେ ଲାଲ’ରେ ନୃତ୍ୟ ନିର୍ଦ୍ଦେଶନା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ​​|

Comments are closed.