ଦିଲ୍ଲୀ ସେବା ବିଲ୍ ପାରିତ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା, କହିଲେ ଦିଲ୍ଲୀବାସୀଙ୍କ ପିଠିରେ ଛୁରି ଭୁସିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଆସିଛି । ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ବୋଲି ବିଜେପି ସବୁଥର ପ୍ରତିଶ୍ରୁତି ଦେଇଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବେ। କିନ୍ତୁ ଆଜି ଏହି ଲୋକମାନେ ହିଁ ଦିଲ୍ଲୀର ଲୋକଙ୍କ ପିଠିରେ ଛୁରୀ ଭୁସିବା ଭଳି କାମ କରିଛନ୍ତି । ଦିଲ୍ଲୀବାସୀ ଏବେ ସେମାନଙ୍କର କୌଣସି କଥା ବିଶ୍ୱାସ କରିବା ଉଚିତ ନୁହେଁ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭର୍ତ୍ସନା କରିଥିଲେ। ସେ କହିଥିଲେ, “ଦିଲ୍ଲୀ ଲୋକଙ୍କ ଅଧିକାର ଛଡ଼ାଇ ନେଇଥିବା ବିଲ୍ ଉପରେ ଲୋକସଭାରେ ଆଜି ଅମିତ ଶାହାଙ୍କ ବକ୍ତବ୍ୟ ଶୁଣିଲି । ଏହି ବିଲ୍ ସପକ୍ଷରେ ସେ ଗୋଟିଏ ବି ଯଥାର୍ଥ ଯୁକ୍ତି ପ୍ରଦାନ କରିପାରିନଥିଲେ । ସେ କେବଳ ଫାଲତୁ କଥା କହୁଥିଲେ। ଶାହ ମଧ୍ୟ ଜାଣିଛନ୍ତି ଯେ ସେମାନେ ଭୁଲ୍ କରିଛନ୍ତି। ଏହି ବିଲ୍ ଦିଲ୍ଲୀର ଲୋକଙ୍କୁ ଦାସ ବନାଇବ ଓ ସେମାନଙ୍କୁ ଅସହାୟ କରିବା ପାଇଁ ଉଦ୍ଦିଷ୍ଟ । ଇଣ୍ଡିଆ କେବେ ଏଭଳି ଘଟିବାକୁ ଦେବ ନାହିଁ। ”

ଦିଲ୍ଲୀ ସେବା ବିଲ୍ ଉପରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, “ସେବା ସବୁବେଳେ କେନ୍ଦ୍ର ସରକାରଙ୍କ ପାଖରେ ରହିଆସିଛି। ସୁପ୍ରିମକୋର୍ଟ ମଧ୍ୟ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ୧୯୯୩ ରୁ ୨୦୧୫ ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଝଗଡ଼ା କରିନଥିଲେ । କାରଣ ସେମାନଙ୍କ ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା କରିବା। ଝଗଡ଼ା କରିବାର କୌଣସି ଆବଶ୍ୟକତା ନାହିଁ। ଆବଶ୍ୟକତା କେବଳ ଲୋକଙ୍କ ସେବା କରିବାର ରହିଛି । ଯଦି ସେମାନଙ୍କୁ କ୍ଷମତା ଲୋଡ଼ା, ତେବେ ସେମାନେ ଝଗଡ଼ା କରିବେ । ”

ଅମିତ ଶାହା ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ବିରୋଧୀ ଦଳର ପ୍ରାଥମିକତା ହେଉଛି ନିଜ ମେଣ୍ଟ ବଞ୍ଚାଇବା । ବିରୋଧୀଙ୍କ ଚିନ୍ତା ମଣିପୁର ନୁହେଁ । ସମସ୍ତେ ଗୋଟିଏ ରାଜ୍ୟର ଅଧିକାର ବିଷୟରେ କହୁଛନ୍ତି। କିନ୍ତୁ କେଉଁ ରାଜ୍ୟ? ଦିଲ୍ଲୀ ଏକ ରାଜ୍ୟ ନୁହେଁ ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ | ଦିଲ୍ଲୀ ପାଇଁ ଆଇନ ପ୍ରଣୟନ କରିବାର ଅଧିକାର ସଂସଦର ରହିଛି।

Comments are closed.