ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଗିରଫ

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ’ ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶନିବାର ପଞ୍ଜାବ ପୋଲିସ ଗିରଫ କରିଛି। ତାଙ୍କୁ ଧରିବା ପାଇଁ ୭ଟି ଜିଲ୍ଲାର ପୋଲିସକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଅମୃତପାଲ ସିଂଙ୍କୁ ଜଳନ୍ଧରର ଶାହକୋଟ ସ୍ଥିତ ମହେତପୁର ଗ୍ରାମରୁ ଗିରଫ କରାଯାଇଛି । ଶାହକୋଟରେ ଅମୃତପାଲ ସିଂଙ୍କ ଆଗମନ ସମ୍ପର୍କରେ ସୂଚନା ପାଇ ତାଙ୍କୁ ଧରିବା ପାଇଁ ପୋଲିସ ସେଠାରେ ଆଗୁଆ ପ୍ରସ୍ତୁତ ଥିଲା । ସେଥିପାଇଁ ମୋଗା ପୋଲିସ ମୋଗା ଏବଂ ଶାହାକୋଟ ମଧ୍ୟରେ ସବୁ ରାସ୍ତା ବନ୍ଦ କରି ଚାରିଆଡୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ପ୍ରଥମେ ତାଙ୍କର ୬ ଜଣ ସହଯୋଗୀଙ୍କୁ ଧରିଥିଲା । ପରେ ଅମୃତପାଲଙ୍କୁ ଗିରଫ କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବାକୁ ପ୍ରଶାସନ ଗତ ରାତି ୧୨ଟାରୁ ପଞ୍ଜାବର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଥିଲା। ସୂତ୍ରରୁ ପ୍ରକାଶ ଯେ ଜି-୨୦ ସମ୍ମିଳନୀ ଯୋଗୁଁ ସରକାର ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଥିଲେ ।

ଖଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ଦୁଇଟି ମାମଲା ଅମୃତସର ଜିଲ୍ଲାର ଅଜନାଲା ପୋଲିସ ଥାନାରେ ରୁଜୁ ହୋଇଥିଲା । ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଗିରଫ ବିରୋଧରେ ଅମୃତପାଲ ତାଙ୍କ ସମର୍ଥକଙ୍କ ସହ ୨୩ ଫେବୃଆରୀରେ ଅଜନାଲା ପୋଲିସ ଷ୍ଟେସନ ଉପରେ ସଶସ୍ତ୍ର ଆକ୍ରମଣ କରିଥିଲେ। ଏହି ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପଞ୍ଜାବ ପୋଲିସ ଓ ରାଜ୍ୟର ଆମ୍ ଆଦମୀ ପାର୍ଟି ସରକାର ସମାଲୋଚିତ ହୋଇଥିଲେ ।

Comments are closed.