କେକେଆର୍ ଆଇପିଏଲ୍ ଚାମ୍ପିୟନ, ସନରାଇଜର୍ସକୁ ହରାଇ ଜିତିଲା ତୃତୀୟ ଟାଇଟଲ୍

ଚେନ୍ନାଇ: ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍-୨୦୨୪ର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଏକତରଫା ଫାଇନାଲରେ କେକେଆର୍ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଛି। ଦଳ ୧୦ ବର୍ଷ ପରେ ଜିତିଛି ଆଇପିଏଲ୍ ଟ୍ରଫି | ଶେଷ ଥର କେକେଆର୍ ଗୌତମ ଗମ୍ଭୀରଙ୍କ ନେତୃତ୍ଵରେ ୨୦୧୪ରେ ଚାମ୍ପିୟନ ହୋଇଥିଲା। ଏବେ ଗମ୍ଭୀର ଦଳର ମେଣ୍ଟର ରହିଥିବା ବେଳେ କେକେଆର୍ ପୁଣି ଟାଇଟଲ ଜିତିଛି।

ରବିବାର ଚେପକରେ ଅନୁଷ୍ଠିତ ଫାଇନାଲରେ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ୧୮.୩ ଓଭରରେ ମାତ୍ର ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଇପିଏଲ ଫାଇନାଲ ଇତିହାସରେ ଏହା ଥିଲା ସର୍ବନିମ୍ନ ସ୍କୋର । ଜବାବରେ କେକେଆର୍ କେବଳ ୧୦.୩ ଓଭରରେ ୨ ୱିକେଟ୍ ହରାଇ ଟାଇଟଲ୍ ମ୍ୟାଚ୍ ଜିତି ନେଇଥିଲା। ସୁନୀଲ ନାରାୟଣ (୬) ଶୀଘ୍ର ଆଉଟ୍ ହୋଇଯାଇଥିଲେ ମଧ୍ୟ କେକେଆର୍ ଅନାୟସରେ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭେଙ୍କଟେଶ ଆୟର ୨୬ ବଲରେ ୫୨ ରନର ଅପରାଜିତ ଇନିଂସ ଖେଳିଥିଲେ। ରହମନୁଲ୍ଲା ଗୁରବାଜ ୩୨ ବଲରେ ୩୯ ରନ୍ କରିଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳର କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଟପିନଥିଲେ । ଅଧିନାୟକ ପ୍ୟାଟ୍‌ କମିନ୍ସ ସର୍ବାଧିକ ୨୪ ରନ୍ କରିଥିବା ବେଳେ ଏଡେନ ମାର୍କ୍ରାମ୍ ୨୦ ରନ୍ କରିଥିଲେ। କେକେଆର୍ ତରଫରୁ ଅଣ୍ଡ୍ରେ ରସେଲ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ।

Comments are closed.