କେକେଆର୍-ରୟାଲ୍ସ, ଗୁଜରାଟ-ଦିଲ୍ଲୀ ଆଇପିଏଲ୍ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ

ନୂଆଦିଲ୍ଲୀ: ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କେକେଆର୍ ର ଏହି ଘରୋଇ ମ୍ୟାଚ୍ ଏପ୍ରିଲ ୧୭ରେ ହେବାର ଥିଲା । ଏବେ ଏହି ମ୍ୟାଚ୍ ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୬ରେ ଖେଳାଯିବ । ସେହିପରି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏପ୍ରିଲ ୧୬ରେ ଖେଳାଯିବାକୁ ଥିବା ଗୁଜରାଟ ଟାଇଟାନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ବର୍ତ୍ତମାନ ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ। ତେବେ ବିସିସିଆଇ ଏହି ଦୁଇ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବା ନେଇ କୌଣସି କାରଣ ଦର୍ଶାଇ ନାହିଁ ।

ଏପ୍ରିଲ ୧୭ରେ ରାମ ନବମୀ ପଡୁଛି । ସେହି ଦିନ କେକେଆର ଏବଂ ରୟାଲ୍ସ ମଧ୍ୟରେ ମ୍ୟାଚ୍ ପାଇଁ କୋଲକାତା ପୋଲିସ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲା ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଏହାର ତିନି ଦିନ ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ମଧ୍ୟ କେକେଆର୍ ଏକ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଏହାଛଡ଼ା ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ରେ‌ ପଶ୍ଚିମବଙ୍ଗରେ ମତଦାନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ କେକେଆର୍-ରୟାଲ୍ସ ମ୍ୟାଚକୁ ଗୋଟିଏ ଦିନ ଆଗୁଆ (ଏପ୍ରିଲ ୧୬) କିମ୍ବା ୨୪ ଘଣ୍ଟା ପରେ (ଏପ୍ରିଲ ୧୮) କରିବାକୁ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (ସିଏବି) ପ୍ରସ୍ତାବ ଦେଇଥିଲା ।

Comments are closed.