ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କୋହଲି, ରୋହିତ ଓ ଅଶ୍ବିନଙ୍କ ମାନ୍ୟତା ଅପରିବର୍ତ୍ତିତ, ବୁମ୍ରା ଖସିଲେ

ଦୁବାଇ: ବୁଧବାର ରିଲିଜ୍ ହୋଇଥିବା ଆଇସିସି ଟେଷ୍ଟ୍ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂରେ ନିଜର ସ୍ଥିତି ବଜାୟ ରଖିଥିବାବେଳେ

ବୋଲିଂରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ମାନ୍ୟତା ଅପରିବର୍ତ୍ତିତ ରହିଛି। ରୋହିତ ପଞ୍ଚମ, କୋହଲି ଷଷ୍ଠ ଏବଂ
ବୋଲିଂରେ ଅଶ୍ବିନ ଦ୍ବିତୀୟ ସ୍ଥାନରେ ଅଛନ୍ତି । ତେବେ ଭାରତର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ହରାଇ ଦଶମ ସ୍ଥାନକୁ ଖସି ଆସିଛନ୍ତି। ଅଶ୍ୱିନ୍‌ଙ୍କୁ ଛାଡ଼ି କୋହଲି, ରୋହିତ ଓ ବୁମ୍ରା କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ଡ୍ର ଟେଷ୍ଟର ଅଂଶ ନଥିଲେ। ପ୍ରଥମ ଟେଷ୍ଟ ଖେଳିବା ପରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ଶ୍ରେୟସ୍ ଆୟର ପ୍ରଥମ ଥର ଆଇସିସି ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ପ୍ରବେଶ କରିଛନ୍ତି । ନିଜ ପଦାର୍ପଣରେ ଆୟର ଯଥାକ୍ରମେ ୧୦୫ ଏବଂ ୬୫ ରନ୍ କରିଥିଲେ । ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପରେ ଆୟର ୭୫ତମ ସ୍ଥାନ ସହ ବ୍ୟାଟିଂ ତାଲିକାରେ ଏଣ୍ଟ୍ରି କରିଛନ୍ତି ।

ଓପନର୍ସ ଶୁଭମାନ ଗିଲ ୬ଟି ସ୍ଥାନ ଉଠି ୬୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ରିଦ୍ଧିମାନ ଶାହା ନଅଟି ସ୍ଥାନ ଲମ୍ଫ ଦେଇ ୯୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବୋଲରଙ୍କ ତାଲିକାରେ ରବିନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ଉଠି ୧୯ ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ଅଲରାଉଣ୍ଡର ତାଲିକାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଶ୍ବିନ୍ ଅଲରାଉଣ୍ଡରଙ୍କ ମଧ୍ୟରେ ତୃତୀୟ ଏବଂ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୭୯ ତମ ସ୍ଥାନରେ ରହିଛନ୍ତି। କାନପୁର ଟେଷ୍ଟରେ ୯୫ ଏବଂ ୫୨ ରନ କରିଥିବା ନ୍ୟୁଜିଲାଣ୍ଡ ଓପନର ଟମ ଲାଥାମ ୧୪ ତମରୁ ନବମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି | ବୋଲିଂରେ କାଇଲ୍ ଜାମିସନ୍ ନବମ ସ୍ଥାନରେ ରହିଛନ୍ତି। ଅଶ୍ୱିନଙ୍କ ପଛରେ ଟିମ୍ ସାଉଦି ତୃତୀୟ ସ୍ଥାନରେ ରହିଛନ୍ତି ।

Comments are closed.