ଲାଲୁ ପୁଣି ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରୁ ଭୋର୍ ୩ଟାରେ ଡିସଚାର୍ଜ କରାଯିବା ପରେ ଅପରାହ୍ନରେ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଡନୀ ସଂକ୍ରମଣ ଯୋଗୁଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୩ ବର୍ଷୀୟ ଲାଲୁଙ୍କୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) କୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ରାତି ୯ଟାରେ ଭର୍ତ୍ତି କରାଯାଇଥିଲା । ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ର ମେଡିକାଲ ବୋର୍ଡର ଏକ ବୈଠକରେ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏକ ସୂତ୍ରରୁ ପ୍ରକାଶ, “ଲାଲୁଙ୍କୁ ଡାକ୍ତରଙ୍କ ତତ୍ତ୍ଵାବଧାନରେ ରାତିସାରା ଜରୁରୀକାଳୀନ ବିଭାଗରେ ରଖାଯାଇଥିଲା। ସକାଳ ପ୍ରାୟ ୩ଟା ବେଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତେବେ ଲାଲୁଙ୍କୁ ପୁଣିଥରେ ଅପରାହ୍ନ ପ୍ରାୟ ୧୨:୩୦ ସମୟରେ ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା।

ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡ଼ପ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଫେବୃଆରୀ ୨୧ରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଓ ୬୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ |

Comments are closed.