ଚନ୍ଦ୍ରଯାନ-୩: ଅନ୍ତିମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ, ଏବେ ଅଗଷ୍ଟ ୨୩କୁ ଅପେକ୍ଷା

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ)କୁ ଚନ୍ଦ୍ର କକ୍ଷର ଆହୁରି ତଳକୁ ଖସାଇଛି । ଫଳରେ ଚନ୍ଦ୍ରର ଅତି ନିକଟତର ହୋଇଛି ଲ୍ୟାଣ୍ଡର।

ଇସ୍ରୋ କହିଛି ଯେ ଲ୍ୟାଣ୍ଡର୍ (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ)କୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଲ୍ ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି ‌।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ ଇସ୍ରୋ ଲେଖିଛି, ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ (ଗତିକୁ ମନ୍ଥର କରିବା ପ୍ରକ୍ରିୟା) ଅଭିଯାନରେ ଲ୍ୟାଣ୍ଡର୍ ମଡ୍ୟୁଲ୍ ସଫଳତାର ସହ କକ୍ଷର ଆହୁରି ତଳକୁ ଓହ୍ଲାଇଛି। ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଏକ ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଚନ୍ଦ୍ରର ଦକ୍ଷିଣ ମେରୁରେ ‘ସଫ୍ଟ ଲ୍ୟାଣ୍ଡିଂ’ ଅଗଷ୍ଟ ୨୩, ୨୦୨୩ରେ ସନ୍ଧ୍ୟା ୫.୪୫ରେ ହେବ ବୋଲି ଆଶା କରାଯାଉଛି |

ଜୁଲାଇ ୧୪ରେ ମିଶନ ଲଞ୍ଚ ହେବାର ୩୫ ଦିନ ପରେ ଅର୍ଥାତ୍ ଗୁରୁବାର ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ମଡ୍ୟୁଲ୍ ଏବଂ ପ୍ରପୁଲସନ୍ ମଡ୍ୟୁଲକୁ ସଫଳତାର ସହ ଅଲଗା କରାଯାଇଥିଲା |

ଜୁଲାଇ ୧୪ରେ ଉତକ୍ଷେପଣ ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା | ପ୍ରପଲସନ୍ ଏବଂ ଲ୍ୟାଣ୍ଡର ମଡ୍ୟୁଲକୁ ଅଲଗା କରିବା ପୂର୍ବରୁ ଏହାକୁ ଚନ୍ଦ୍ର ପୃଷ୍ଠକୁ ନିକଟତର କରିବା ପାଇଁ ଅଗଷ୍ଟ ୬, ୯, ୧୪ ଏବଂ ୧୬ରେ କକ୍ଷପଥର ନିମ୍ନକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା | ବର୍ତ୍ତମାନ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହାର ‘ସଫ୍ଟ ଲ୍ୟାଣ୍ଡିଂ” କରାଇବାକୁ ଉଦ୍ୟମ କରାଯିବ।

Comments are closed.