କିମ୍ବଦନ୍ତୀ କ୍ରିକେଟ୍ କୋଚ୍ ତାରକ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଅନେକ ଆନ୍ତର୍ଜାତୀୟ ତଥା ପ୍ରଥମ ଶ୍ରେଣୀ କ୍ରିକେଟର ଦେଇଥିବା ପ୍ରସିଦ୍ଧ କୋଚ୍ ତାରକ ସିହ୍ନାଙ୍କ ଶନିବାର ସକାଳେ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସିହ୍ନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଅବିବାହିତ ଥିଲେ ଏବଂ ତାଙ୍କର ଜଣେ ଭଉଣୀ ଅଛନ୍ତି ‌।

ଦେଶ ପ୍ରେମ ଆଜାଦ, ଗୁରୁଚରଣ ସିଂ, ରମାକାନ୍ତ ଆଚ୍ରେକର ଏବଂ ସୁନୀତା ଶର୍ମାଙ୍କ ପରେ ତାରକ ସିହ୍ନା ପଞ୍ଚମ ଭାରତୀୟ କ୍ରିକେଟ୍ କୋଚ୍ ଭାବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ। ୨୦୧୮ରେ ସିହ୍ନାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଦେଶରେ ପ୍ରତିଭାବାନ କ୍ରିକେଟରଙ୍କୁ ଖୋଜି ବାହାର କରିବା ପାଇଁ ସିହ୍ନାଙ୍କ ଦ୍ୱାରା ସୋନେଟ୍ କ୍ଲବ୍ ପ୍ରତିଷ୍ଠା କରାଯାଇଥିଲା | କ୍ଲବ୍ ଏକ ବିବୃତ୍ତିରେ କହିଛି ଯେ ଦୁଇମାସ ଧରି କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ସୋନେଟ କ୍ଲବ୍ ର ପ୍ରତିଷ୍ଠାତା ଶ୍ରୀ ତାରକ ସିହ୍ନାଙ୍କ ଆଜି ଭୋରରେ ଦେହାନ୍ତ ହୋଇଯାଇଛି।

ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ‘ଉସ୍ତାଦଜୀ’ ଭାବରେ ପରିଚିତ ସିହ୍ନା ଜଣେ ତୃଣମୂଳ ସ୍ତରର କ୍ରିକେଟ୍ କୋଚ୍ ନଥିଲେ। ପାଞ୍ଚ ଦଶନ୍ଧି ମଧ୍ୟରେ ସେ କେବଳ ପ୍ରତିଭା ଆବିଷ୍କାର କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ‌। ପ୍ରତିଭା ଆବିଷ୍କାର କରିବା ପରେ ସେମାନଙ୍କ ଦକ୍ଷତାକୁ ବିକଶିତ କରି ନିଜ କ୍ଲବ୍ ମାଧ୍ୟମରେ ଖେଳିବାକୁ ପ୍ଲାଟଫର୍ମ ଦେଇଥିଲେ |

ତାଙ୍କର ପ୍ରାଥମିକ ଛାତ୍ରମାନଙ୍କ ମଧ୍ୟରେ ଦିଲ୍ଲୀ କ୍ରିକେଟର କିମ୍ବଦନ୍ତୀ ସୁରିନ୍ଦର ଖାନ୍ନା, ମନୋଜ ପ୍ରଭାକର, ସ୍ୱର୍ଗତ ରମଣ ଲାମ୍ବା, ଅଜୟ ଶର୍ମା, ଅତୁଲ ଓ୍ବାସନ, ସଞ୍ଜୀବ ଶର୍ମା ଭଳି ଖେଳାଳି ରହିଥିଲେ। ଘରୋଇ କ୍ରିକେଟରେ କେ.ପି ଭାସ୍କର ତାଙ୍କର ଶିଷ୍ୟ ଥିଲେ।

୧୯୯୦ ଦଶକର ଶେଷ ଭାଗରେ ସେ ଆକାଶ ଚୋପ୍ରା, ଅଞ୍ଜୁମ ଚୋପ୍ରା, ରୁମେଲି ଧର, ଆଶିଷ ନେହେରା, ଶିଖର ଧାୱନ ଏବଂ ରିଷଭ ପନ୍ତଙ୍କ ପରି କ୍ରିକେଟରଙ୍କୁ ଆବିଷ୍କାର କରିଥିଲେ। ପ୍ରତିଭା ଚିହ୍ନଟ ପାଇଁ ବିସିସିଆଇ ସିହ୍ନାଙ୍କ ପ୍ରତିଭାକୁ କେବେବି ବ୍ୟବହାର କରିନଥିଲା | ଯେତେବେଳେ ଝୁଲଣ ଗୋସ୍ୱାମୀ ଏବଂ ମିତାଲି ରାଜଙ୍କ ଭଳି କ୍ରିକେଟରଙ୍କ କ୍ୟାରିୟର ଆରମ୍ଭ ହେଉଥିଲା, ତାଙ୍କୁ କେବଳ ଥରେ ମହିଳା ଦଳର କୋଚ୍ କରାଯାଇଥିଲା ।

ସିହ୍ନାଙ୍କ ପାଇଁ ସୋନେଟ୍ କ୍ଲବ୍ ତାଙ୍କ ପରିବାର ଥିଲା । କ୍ରିକେଟ୍ ପ୍ରତି ସେ ଏପରି ସମର୍ପିତ ଥିଲେ ଯେ ସେ କେବେ ବି ବିବାହ କରିନଥିଲେ। ତାଙ୍କ କୋଚିଂର ଅନ୍ୟ ଏକ ଦିଗ ହେଉଛି ଯେ ସେ ତାଙ୍କ ଛାତ୍ରମାନଙ୍କ ପାଠପଢ଼ା ପ୍ରଭାବିତ ହେବାକୁ କେବେ ଦେଉନଥିଲେ। ସ୍କୁଲ କିମ୍ବା କଲେଜ ପରୀକ୍ଷା ସମୟରେ ଅଭ୍ୟାସ ପାଇଁ ଆସିଥିବା ଛାତ୍ରମାନଙ୍କୁ ସେ ତୁରନ୍ତ ଫେରାଇ ଦେଉଥିଲେ ଏବଂ ପରୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ କୋଚିଂ ପାଇଁ ଆସିବାକୁ ମନା କରିଦେଇଥିଲେ ।

ତାଙ୍କ ମା’ଙ୍କ ସହ ଆସିଥିବା ପନ୍ତଙ୍କ ପ୍ରତିଭାକୁ ଦେବେନ୍ଦ୍ର ଶର୍ମା ଚିହ୍ନିଥିଲେ। ସିହ୍ନା ତାଙ୍କୁ ଏହି ବାଳକ ଉପରେ କିଛି ସପ୍ତାହ ନଜର ରଖିବାକୁ କହିଥିଲେ।

ଗୁରୁଦ୍ୱାରରେ ପନ୍ତଙ୍କ ରହିବାର କାହାଣୀ ଏବେ ଏକ କ୍ରିକେଟ୍‌ କିମ୍ବଦନ୍ତୀ ପାଲଟି ଯାଇଛି । କିନ୍ତୁ ସିହ୍ନା ହିଁ ଦିଲ୍ଲୀର ଏକ ସ୍କୁଲରେ ପନ୍ତଙ୍କ ପଢ଼ିବା ବ୍ୟବସ୍ଥା କରିଥିଲେ । ଏବଂ ପନ୍ତ ସେହି ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଥରେ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ପନ୍ତ କହିଥିଲେ ଯେ, ସିହ୍ନା ସାର୍ ମୋର ପିତୃତୁଲ୍ୟ ନୁହଁନ୍ତି ବରଂ ସେ ମୋର ପିତା ‌।

Comments are closed.