ପ୍ରଖ୍ୟାତ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପ୍ରଖ୍ୟାତ ଟିଭି ଉପସ୍ଥାପିକା ତଥା ନ୍ୟୁଜ୍ ଆଙ୍କର୍ ଗୀତାଞ୍ଜଳି ଆୟରଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ସେ କିଛି ସମୟ ଧରି ପାର୍କିନସନ୍ ରୋଗରେ ପୀଡିତ ଥିଲେ। ଆୟରଙ୍କ ପରିବାର ନିକଟ ସୂତ୍ରରୁ ପ୍ରକାଶ, ବୁଧବାର ସେ ସାନ୍ଧ୍ୟ ଭ୍ରମଣରୁ ଆସିବା ପରେ ତଳେ ପଡ଼ିଯାଇଥିଲେ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

କୋଲକାତାର ଲୋରେଟୋ କଲେଜରୁ ଗ୍ରାଜୁଏସନ କରିବା ପରେ ଗୀତାଞ୍ଜଳି ଆୟର ୧୯୭୧ ମସିହାରେ ଦୂରଦର୍ଶନରେ ଯୋଗ ଦେଇଥିଲେ। ଦୂରଦର୍ଶନର ଇଂରାଜୀ ସମ୍ବାଦ ପାଠିକା ଭାବେ ଲୋକପ୍ରିୟତା ହାସଲ କରିଥିଲେ ଗୀତାଞ୍ଜଳି ।

ସେ ଚାରିଥର ଶ୍ରେଷ୍ଠ ଆଙ୍କର୍ ପୁରସ୍କାର ମଧ୍ୟ ପାଇଥିଲେ | ଏହାଛଡ଼ା ଗୀତାଞ୍ଜଳି ଆୟର ୧୯୮୯ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ମଧ୍ୟ ପାଇଥିଲେ।

ସାମ୍ବାଦିକତା ସହିତ ଗୀତାଞ୍ଜଳି ଆୟର ଅଭିନୟ ଜଗତ ସହ ମଧ୍ୟ ଜଡ଼ିତ ଥିଲେ | ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଡିପ୍ଲୋମା କରିଥିଲେ ଓ ଶ୍ରୀଧର କ୍ଷୀରସାଗରଙ୍କ ଟିଭି ସିରିଏଲ ‘ଖାନଦାନ୍’ରେ କାମ କରିଥିଲେ।

ଗୀତାଞ୍ଜଳି ଆୟରଙ୍କ ମୃତ୍ୟୁରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି ।

Comments are closed.