ଲିଓନେଲ ମେସି କରୋନା ପଜିଟିଭ୍

ପ୍ୟାରିସ୍: ଷ୍ଟାର ଫୁଟବଲର୍ ଲିଓନେଲ ମେସି କରୋନା ପଜିଟିଭ୍ ହୋଇଛନ୍ତି | ସାତଥର ବଲନ୍ ଡି’ଅର୍ ପୁରସ୍କାର ବିଜେତା ମେସିଙ୍କ ସମେତ ପ୍ୟାରିସ୍ ସେଣ୍ଟ୍ ଜର୍ମାନ୍ (ପିଏସଜି) ଦଳର ଚାରିଜଣ ଖେଳାଳି ଫ୍ରେଞ୍ଚ କପ୍ ଫୁଟବଲ୍ ମ୍ୟାଚ୍ ପୂର୍ବରୁ କରୋନା ସଂକ୍ରମିତ ଥିବା ଜଣାପଡିଛି | ପୂର୍ବରୁ ପିଏସଜିର ଜଣେ କର୍ମଚାରୀ କୋଭିଡ -୧୯ ପଜିଟିଭ ହୋଇଥିଲେ ।

ଶନିବାର ରାତିରେ ପିଏସଜି ଦଳ ଏକ ବିବୃତ୍ତିରେ କହିଥିଲା ଯେ ଜଣେ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି। ତେବେ ସଂକ୍ରମିତ କର୍ମଚାରୀଙ୍କ ନାମ ଉଲ୍ଲେଖ କରାଯାଇନଥିଲା, କିନ୍ତୁ ପରେ ରବିବାର ଦିନ ଏକ ପ୍ରେସ୍ ବିବୃତ୍ତିରେ ଏହି କ୍ଲବ୍ ସଂକ୍ରମିତ ଖେଳାଳିଙ୍କ ତାଲିକା ଜାରି କରିଥିଲା । ଏଥିରେ ମେସିଙ୍କ ସମେତ ୟୁଆନ ବର୍ନାଟ, ବ୍ୟାକଅପ୍ ଗୋଲ କିପର ସର୍ଜିଓ ରିକୋ ଏବଂ ୧୯ ବର୍ଷ ବୟସ୍କ ମିଡଫିଲ୍ଡର ନାଥନ ବିଟୁମାଜାଲାଙ୍କ ନାଁ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ମେସିଙ୍କ ପୂର୍ବରୁ ବହୁ ଫୁଟବଲ ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲେ। ଏହି ତାଲିକାରେ ଫ୍ରେଞ୍ଚ ଫୁଟବଲର୍ କିଲିଆନ୍ ଏମ୍ବାପେ, ପଲ୍ ପୋଗବା ଏବଂ ଜ୍ଲାଟାନ୍ ଇବ୍ରାହିମୋବିଚ୍ ଭଳି ଖେଳାଳି ଥିଲେ | ପିଏସଜିର ଆଉ ଜଣେ ଷ୍ଟାର୍ ଖେଳାଳି ନେମାର ଜୁନିଅରଙ୍କ ମଧ୍ୟ କରୋନା ଟେଷ୍ଟ ହୋଇଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି |

Comments are closed.