ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ

ଗାନ୍ଧିନଗର: ଗୁଜରାଟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ରାଜ୍ୟ କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜେନ୍ଦ୍ର ତ୍ରିବେଦୀଙ୍କଠାରୁ ରାଜସ୍ୱ ବିଭାଗକୁ କାଢ଼ି ନିଆଯାଇଛି । ସେହିପରି ସଡ଼କ ଓ ନିର୍ମାଣ ମନ୍ତ୍ରଣାଳୟକୁ ପୁର୍ଣ୍ଣେଶ ମୋଦୀଙ୍କଠାରୁ ପ୍ରତ୍ୟାହାର କରାଯାଇଛି। ଉଭୟ ମନ୍ତ୍ରଣାଳୟକୁ ଏବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନିଜ ପାଖରେ ରଖିଛନ୍ତି ।

ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ତ୍ରିବେଦୀ ଆଇନ ଏବଂ ନ୍ୟାୟ, ବିପର୍ଯ୍ୟୟ ପରିଚାଳନା, ବିଧାନସଭା ତଥା ସଂସଦୀୟ ମନ୍ତ୍ରଣାଳୟ ସମ୍ଭାଳିବେ । ଅନ୍ୟପକ୍ଷରେ ପୂର୍ଣ୍ଣେଶ ମୋଦୀ ବର୍ତ୍ତମାନ ପରିବହନ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରା ବିକାଶ ମନ୍ତ୍ରଣାଳୟ ଦାୟିତ୍ବରେ ରହିବେ ।

ରାଷ୍ଟ୍ର ମନ୍ତ୍ରୀ ଭାବରେ ହର୍ଷ ରମେଶ କୁମାର ସାଙ୍ଗଭିଙ୍କୁ ରାଜସ୍ୱ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିବାବେଳେ ଜଗଦୀଶ ଇଶ୍ୱର ପଞ୍ଚଲଙ୍କୁ ରାଜ୍ୟ ମନ୍ତ୍ରୀ ଭାବରେ ସଡ଼କ ଓ ନିର୍ମାଣ ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି। ସୂଚନାଯୋଗ୍ୟ, ରାଜସ୍ୱ ବିଭାଗରୁ ହଟାଯାଇଥିବା ରାଜେନ୍ଦ୍ର ତ୍ରିବେଦୀ ଗୁଜରାଟ ସରକାରରେ ଦୁଇ ନମ୍ବର ବିବେଚିତ ହୁଅନ୍ତି। ଯେତେବେଳେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ତାଙ୍କ ପରେ ତ୍ରିବେଦୀ ଶପଥ ନେଇଥିଲେ।

ରାଜସ୍ୱ ମନ୍ତ୍ରୀ ଥିବା ସମୟରେ ତ୍ରିବେଦୀ ବିଭାଗର ଅନେକ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟ କଳାପ ଯାଞ୍ଚ୍ କରିଥିଲେ। ଏଥିପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଭୁପେନ୍ଦ୍ର ପଟେଲ ସରକାରଙ୍କ ୧୦ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଉଭୟ ରାଜେନ୍ଦ୍ର ତ୍ରିବେଦୀ ଏବଂ ପୂର୍ଣ୍ଣେଶ ମୋଦୀ ଅଛନ୍ତି।

ଗତ ସେପ୍ଟେମ୍ବରରେ ବିଜୟ ରୁପାନିଙ୍କ ସ୍ଥାନରେ ଭୁପେନ୍ଦ୍ର ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ବିଜେପିର ଶୀର୍ଷ ନେତୃବର୍ଗଙ୍କ ନିର୍ଦ୍ଦେଶରେ ପୂରା ଗୁଜରାଟ କ୍ୟାବିନେଟ ଇସ୍ତଫା ଦେଇଥିଲେ । ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Comments are closed.