‘ମୋ ମୁଣ୍ଡ କାଟିଦିଅ ପଛେ..’, ଡିଏ ବୃଦ୍ଧି ପାଇଁ ଆନ୍ଦୋଳନରତ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମମତାଙ୍କ ରୋକଠୋକ୍

କୋଲକାତା: କେନ୍ଦ୍ରୀୟ କର୍ମଚାରୀଙ୍କ ବରାବର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବା ଦାବିରେ ପଶ୍ଚିମବଙ୍ଗର ସରକାରୀ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ଦାବି ପୂରଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ମମତା କହିଛନ୍ତି ଯେ ବିକ୍ଷୋଭକାରୀ ତାଙ୍କ ମୁଣ୍ଡ କାଟିଦେଲେ ମଧ୍ୟ ସେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସମାନ ଡିଏ ଦେଇପାରିବେ ନାହିଁ ।

ପଶ୍ଚିମବଙ୍ଗ ବିଧାନସଭାରେ ଏହି ପ୍ରସଙ୍ଗରେ ମମତା କହିଛନ୍ତି ଯେ ସରକାରଙ୍କ ପାଖରେ ଅର୍ଥ ନ ଥିବାରୁ ରାଜ୍ୟ କର୍ମଚାରୀମାନେ କେନ୍ଦ୍ରୀୟ କର୍ମଚାରୀଙ୍କ ବରାବର ଡିଏ ପାଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ମହଙ୍ଗା ଭତ୍ତାକୁ ନେଇ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସମର୍ଥନ କରି ବିଜେପି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ ।

ବିଧାନସଭାର ବଜେଟ୍ ଅଧିବେଶନରେ ବାନାର୍ଜୀ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ଦରମା ଢାଞ୍ଚାରେ ପାର୍ଥକ୍ୟ ଉଲ୍ଲେଖ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ପୂର୍ବରୁ ହିଁ ଏହାର କର୍ମଚାରୀମାନଙ୍କୁ ୧୦୫ ପ୍ରତିଶତ ଡିଏ ଦେଉଛନ୍ତି। ସେ କହିଥିଲେ, “ଆପଣ ( ଆନ୍ଦୋଳନକାରୀ ସରକାରୀ କର୍ମଚାରୀ) କେତେ ଚାହୁଁଛନ୍ତି? ଆପଣମାନେ କେତେରେ ସନ୍ତୁଷ୍ଟ ହେବେ? ଆପଣ ମୋର ମୁଣ୍ଡ କାଟି ଦିଅନ୍ତୁ.. ଏହାପରେ ବୋଧେ ଆପଣଙ୍କୁ ସନ୍ତୁଷ୍ଟି ମିଳିବ…। ମୋର ମୁଣ୍ଡ କାଟିଦେଲେ ବି ମୋଠାରୁ ଆଉ ଅଧିକ (ଡିଏ) ପାଇବେ ନାହିଁ | ”

‘ସଂଗ୍ରାମୀ ଯୌଥ ମଞ୍ଚ’ ସହ ରାଜ୍ୟ ସରକାରୀ କର୍ମଚାରୀଙ୍କ ବିଭିନ୍ନ ସଂଗଠନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମାନ ଡିଏ ବୃଦ୍ଧି କରିବାକୁ ଆନ୍ଦୋଳନ ଜାରି ରଖିଛନ୍ତି ।

Comments are closed.