ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ବ୍ୟକ୍ତି ଗିରଫ

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦେଇଥିବା ବ୍ୟକ୍ତିଙ୍କୁ ବୁଧବାର ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ରାମନାଗେଶ ଅଲିବାଥିନୀ । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ୨୩ ବର୍ଷୀୟ ରାମନାଗେଶଙ୍କୁ ମୁମ୍ବାଇର ସାଇବର ସେଲ ପୋଲିସ ଗିରଫ କରିଛି।

ଅଭିଯୁକ୍ତ ରାମନାଗେଶ ପେସାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ବୋଲି ଜଣାପଡ଼ିଛି । ସେ ଫୁଡ୍ ଡେଲିଭେରୀ ଆପ୍ ପାଇଁ ପୂର୍ବରୁ ସଫ୍ଟୱେୟାର ତିଆରି କରୁଥିଲେ |

ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ବିରାଟ କୋହଲି ଏବଂ ତାଙ୍କ ପରିବାରକୁ ଅନଲାଇନରେ ଧମକ ଦିଆଯାଇଥିଲା। ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୯ ମାସର ଝିଅକୁ ଟ୍ୱିଟରରେ ଏକ ଅଜ୍ଞାତ ଆକାଉଣ୍ଟରୁ ବଳାତ୍କାର ଧମକ ମିଳିଥିଲା। ଯେଉଁ ଆକାଉଣ୍ଟରୁ ଟୁଇଟ୍ କରାଯାଇଥିଲା ତାହା ପରେ ଡିଲିଟ କରି ଦିଆଯାଇଥିଲା |

ଏହି ମାମଲାରେ ଦିଲ୍ଲୀ ମହିଳା କମିଶନ ନିଜ ଆଡ଼ୁ ହସ୍ତକ୍ଷେପ କରି ଦିଲ୍ଲୀ ପୋଲିସକୁ ନୋଟିସ ପଠାଯାଇଥିଲା। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ। ପୋଲିସକୁ ନୋଟିସ ଜାରି କରି ସେ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ।

କେବଳ କୋହଲି ନୁହଁନ୍ତି, ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜୟ ପରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଧ୍ୟ ପ୍ରଶଂସକଙ୍କ ଟ୍ରୋଲ୍ ର ଶିକାର ହେବାକୁ ପଡିଥିଲା। ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏହି ଘଟଣାରେ କୋହଲି, ଶାମିଙ୍କୁ ସମର୍ଥନ ଜଣାଇ ତାଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ଭର୍ତ୍ସନା କରିଥିଲେ । ଧର୍ମ ଆଧାରରେ ଧର୍ମ ଆଧାରରେ କାହା ଉପରେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି କୋହଲି କହିଥିଲେ। ଶାମିଙ୍କୁ ସମର୍ଥନ କରିଥିବାରୁ କୋହଲିଙ୍କୁ ମଧ୍ୟ ସୋସିଆଲ ମିଡିଆରେ କିଛି ଲୋକ ଟାର୍ଗେଟ କରିଥିଲେ ।

Comments are closed.