କୃଷକ ଆନ୍ଦୋଳନ ସ୍ଥଳରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣାର ସିଂଘୁ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏକ ନିମ୍ବ ଗଛରେ ଜଣେ ଚାଷୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ସେ ପଞ୍ଜାବର ଫତେହଗଡ ସାହିବ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ଦୀର୍ଘ ଦିନ ଧରି କୃଷକ ଆନ୍ଦୋଳନ ସହ ଜଡିତ ଥିଲେ। ମୃତଦେହକୁ ଜବତ କରି କୁଣ୍ଡଳୀ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ବି.କେ. ସିଦ୍ଧପୁର ସହିତ ଜଡିତ ପଞ୍ଜାବର ଫତେହଗଡ ସାହିବର ରୁର୍କି ଗାଁର ବାସିନ୍ଦା ୪୫ ବର୍ଷିୟ ଗୁରୁପ୍ରୀତ ସିଂ ଦୀର୍ଘ ଦିନ ଧରି ସିଙ୍ଗୁ ସୀମାରେ ଥିବା ସାଥୀଙ୍କ ସହ ଏକ ଟ୍ରଲିରେ ରହିଥିଲେ। ତାଙ୍କ ସାଥୀମାନେ ଦୀପାବଳି ପୂର୍ବରୁ ଘରକୁ ଫେରିଥିଲେ। ସେବେଠାରୁ ସେ ଟ୍ରଲିରେ ଏକୁଟିଆ ରହୁଥିଲେ।

ଏହାର ଆଖପାଖରେ ଥିବା ଅନ୍ୟ ଟ୍ରଲିରେ ରହୁଥିବା ଚାଷୀଙ୍କଠାରୁ ମଧ୍ୟ ପୋଲିସ ତଥ୍ୟ ସଂଗ୍ରହ କରୁଛି। ଏ ସମ୍ପର୍କରେ ପୋଲିସ ମୃତ ଚାଷୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.