ପାକିସ୍ତାନର ବିଜୟରେ ଖୁସି ମନାଇବାରୁ ପତ୍ନୀ, ଶାଶୁ ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କଲେ ସ୍ବାମୀ

ଲକ୍ଷ୍ନୌ: ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଖୁସି ମନାଇଥିବାରୁ ନିଜ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି। ଉତ୍ତରପ୍ରଦେଶର ରାମପୁରର ଏହି ବ୍ୟକ୍ତିଙ୍କ ପତ୍ନୀ ପାକିସ୍ତାନର ବିଜୟରେ ବାଣ ଫୁଟାଇ ସେଲିବ୍ରେସନ୍ କରିବା ସହ ହ୍ବାଟସଆପରେ ଏନେଇ ଏକ ଷ୍ଟାଟସ୍ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ବ୍ୟକ୍ତି ଜଣକ ନିଜ ପତ୍ନୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି।

ଗତ ମାସ ୨୪ ଅକ୍ଟୋବରରେ ଟ-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ନିକଟରେ ଉତ୍ତରପ୍ରଦେଶର ଆଗ୍ରାରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରିବାର ଏକ ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ଆଗ୍ରାର ତିନି ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ପୋଲିସ ଏହି ତିନି କାଶ୍ମୀର ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।

ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତ ୧୦ ଓ୍ବିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । କୌଣସି ବିଶ୍ବକପ (ଟି-୨୦ ଓ ଦିନିକିଆ)ରେ ଏହା ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ପରାଜୟ ଥିଲା ।

Comments are closed.