ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ଦ୍ବିତୀୟ ପାଳି ଆରମ୍ଭ

ଅଗରତାଲା (ତ୍ରିପୁରା): ମାଣିକ ସାହା ପୁଣି ତ୍ରିପୁରା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ସାହାଙ୍କ ସହିତ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ସହଯୋଗୀ ଇଣ୍ଡିଜେନସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି)ର ଜଣେ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଭାବରେ ଏହା ମାଣିକ ଶାହଙ୍କ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ। ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୩୨ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହାର ସହଯୋଗୀ ଇଣ୍ଡିଜେନସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି) ଗୋଟିଏ ଆସନ ଜିତିଥିଲା।

ମାଣିକ ସାହା ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ଗତବର୍ଷ ବିପ୍ଲବ ଦେବଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେ ୨୦୨୦ ରୁ ୨୦୨୦ ପର୍ଯ୍ୟନ୍ତ ତ୍ରିପୁରା ବିଜେପିର ସଭାପତି ଥିଲେ। ୭୦ ବର୍ଷୀୟ ମାଣିକ ସାହା ପେସାରେ ଜଣେ ଡେଣ୍ଟାଲ ସର୍ଜନ |

ଶପଥ ଗ୍ରହଣ ଉତ୍ସବକୁ କଂଗ୍ରେସ ଓ ବାମପନ୍ଥୀ ଦଳ ବର୍ଜନ କରିଥିଲେ । ମାର୍ଚ୍ଚ ୨ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସାରା ରାଜ୍ୟରେ ବିଜେପି ସମର୍ଥକ ଓ ଗୁଣ୍ଡାଙ୍କ ଦ୍ୱାରା ହିଂସା ପ୍ରତିବାଦରେ ଶପଥଗ୍ରହଣ ଉତ୍ସବ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ବାମ ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ତ୍ରିପୁରା ରାଜ୍ୟ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିରଜିତ୍ ସିହ୍ନା କହିଛନ୍ତି ଯେ ମାର୍ଚ୍ଚ ୨ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ତ୍ରିପୁରାରେ ହଜାରେରୁ ଅଧିକ ହିଂସା ଘଟଣା ଘଟିଛି। ଏଥିପାଇଁ ଶାସକ ବିଜେପିକୁ ଦାୟୀ କରି ଏହି କଂଗ୍ରେସ ନେତା କହିଛନ୍ତି, ହିଂସା ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

Comments are closed.