ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେନି ମଣିପୁର ସରକାର

ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଏକ ଗ୍ରାଉଣ୍ଡ ବ୍ୟବହାର କରିବାକୁ ମନା କରିଦେଇଛନ୍ତି ମଣିପୁର ସରକାର । ରାହୁଲଙ୍କ ନେତୃତ୍ବରେ ଏହି ଯାତ୍ରା ଜାନୁଆରୀ ୧୪ରୁ‌ ପୂର୍ବ ଇମ୍ଫାଲର ପ୍ୟାଲେସ୍ ଗ୍ରାଉଣ୍ଡରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ଗ୍ରାଉଣ୍ଡ ବ୍ୟବହାର କରିବାକୁ ଅନୁମତି ଦେଇ ନାହାଁନ୍ତି ରାଜ୍ୟ ସରକାର ।

ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର କହିଛନ୍ତି, ବୁଧବାର ସକାଳେ ସେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କୁ ତାଙ୍କ କାର୍ଯ୍ୟାଳୟ ତଥା ବଙ୍ଗଳା ଠାରେ ଭେଟିଥିଲେ । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ସେ ଅନୁମତି ଦେଇପାରିବେ ନାହିଁ ବୋଲିି ମୁଖ୍ୟମନ୍ତ୍ରୀ କହିଥିଲେ।

ସରକାରଙ୍କ ନିଷ୍ପତ୍ତିକୁ ବେଶ୍ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମେଘଚନ୍ଦ୍ର । ସରକାର ଅନୁମତି ମନା କରିବା ପରେ ସେମାନେ ଯାତ୍ରା ଥୋବାଲ ଜିଲ୍ଲାର ଖୋଙ୍ଗଜୋମରୁ ଏକ ଘରୋଇ ସ୍ଥାନରୁ ଆରମ୍ଭ କରିବାକୁ ସ୍ଥିର କରିଛନ୍ତିି ।

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବ | ଏହି ଯାତ୍ରା ଉଭୟ ବସ୍ ଓ ପାଦରେ ୧୪ଟି ରାଜ୍ୟର ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ଆସନ ଏବଂ ୩୩୭ଟି ବିଧାନସଭା ଆସନ ସହ ୬,୭୧୩ କିଲୋମିଟର ଦେଇ ଯିବ। ଏହି ୬୬ ଦିନ ବ୍ୟାପି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ ।

Comments are closed.