ଟିକେଟ୍ ନ ମିଳିବାରୁ ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଆତ୍ମହତ୍ୟା

ଚେନ୍ନାଇ: ଆତ୍ମହତ୍ୟା ଉଦ୍ୟମ ପରେ ତାମିଲନାଡୁର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଗୁରୁବାର ସକାଳେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ମୁତାବକ, ଏରୋଡରୁ ଲୋକସଭା ସାଂସଦ ଥିବା ୭୭ ବର୍ଷୀୟ ଗଣେଶମୂର୍ତ୍ତିଙ୍କୁ ଏଥର ତାଙ୍କ ଦଳ ଟିକେଟ୍ ଦେଇନଥ‌ିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇ ମାର୍ଚ୍ଚ ୨୪ରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସର ସୂଚନାନୁସାରେ, ଏରୋଡରୁ ୨୦୧୯ ଲୋକସଭା ନିର୍ବାଚନରେ ​​ଡିଏମକେ ଟିକେଟରେ ନିର୍ବାଚିତ ହୋଇଥିବା ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିବା ପରେ ମାର୍ଚ୍ଚ ୨୪ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ଗଣେଶମୂର୍ତ୍ତିଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେ ଆଜି (ମାର୍ଚ୍ଚ ୨୮) ଆଖି ବୁଜିଛନ୍ତି ।

ତିନିଥର ସାଂସଦ ଥିବା ଗଣେଶମୂର୍ତ୍ତି ଏମଡିଏମକେ ରେ ପ୍ରମୁଖ ପଦପଦବୀରେ ରହିଥିଲେ। ଆଗାମୀ ଲୋକସଭା ନିର୍ବାଚନରେ ​ଏରୋଡ ଆସନରୁ ଲଢ଼ିବାକୁ ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏରୋଡରେ ଡିଏମକେ ନିଜ ପ୍ରାର୍ଥୀ ଦେଇଥିବାବେଳେ ତିରୁଚି ସିଟ୍ ଏମଡିଏମକେକୁ ଦେବାକୁ ନିଷ୍ପତ୍ତି ନେଇଛି । ଏମଡିଏମକେ ସାଧାରଣ ସମ୍ପାଦକ ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ତିରୁଚିରୁ ଦଳର ପ୍ରାର୍ଥୀ କରାଯାଇଛି।

Comments are closed.