ରୁଷ-ୟୁକ୍ରେନ ଯୁଦ୍ଧ ପରଠୁ ପ୍ରଥମ ଥର ମୋଦୀ- ଜେଲେନସ୍କି ଭେଟ 

ଟୋକିଓ: ଜି-୭ ବୈଠକ ପାଇଁ ଜାପାନର ହିରୋସିମା ଠାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ପରଠୁ ଉଭୟ ନେତାଙ୍କ ଏହା ପ୍ରଥମ ସାକ୍ଷାତ । ରୁଷ୍-ୟୁକ୍ରେନ ସଂଘର୍ଷ ମଧ୍ୟରେ ସାମ୍ପ୍ରତିକ ସ୍ଥିତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଜେଲେନସ୍କିଙ୍କ ସହ ବେଠକ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ ଦେଇ କହିଥିଲେ ଯେ ଭାରତ ସର୍ବଦା ଶାନ୍ତିର ସମର୍ଥକ ଏବଂ ସାମ୍ପ୍ରତିକ ସମୟରେ ବିବାଦ ନୁହେଁ ସହଯୋଗ ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ନିୟମିତ ବ୍ୟବଧାନରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଉଛନ୍ତି। ମୁଁ ପ୍ରତ୍ୟେକ ଥର କହିଛି ଯେ ସମାଧାନ ପାଇଁ ଯାହା କିଛି କରାଯାଇପାରିବ, ଆମେ ତାହା କରିବୁ | ମୋ ପାଇଁ ଏହା ରାଜନୀତିର ବିଷୟ ନୁହେଁ, ବରଂ ମାନବୀୟ ମୂଲ୍ୟବୋଧର ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୋଇଛି।

ଏହି ଯୁଦ୍ଧର ପ୍ରଭାବ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କ ଉପରେ ମଧ୍ୟ ପଡ଼ିଥିଲା | ବହୁ ଅସୁବିଧା ପରେ ସେହି ଛାତ୍ରମାନେ ନିଜ ଦେଶକୁ ଫେରିଥିଲେ। ଜେଲେନସ୍କିଙ୍କ ସହ ସାକ୍ଷାତରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।

ରୁଷ୍-ୟୁକ୍ରେନ ବିବାଦ ପ୍ରସଙ୍ଗରେ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରିଆସିଛି । ଏହି କାରଣରୁ ଉଭୟ ରୁଷ ଏବଂ ୟୁକ୍ରେନ ଭାରତକୁ ସେମାନଙ୍କର ବନ୍ଧୁ ଭାବରେ ବିବେଚନା କରନ୍ତି।

Comments are closed.