ବିହାରରେ କରୋନା ଟିକାକରଣରେ ଜାଲିଆତି, ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧି, ପ୍ରିୟଙ୍କା ଚୋପ୍ରାଙ୍କ ନାମ

ପାଟଣା: ବିହାରର ଅରୱାଲ ଜିଲ୍ଲାର କରୋନା ଟେଷ୍ଟିଂ ଓ ଟିକାକରଣରେ ଜାଲିଆତି ସାମ୍ନାକୁ ଆସିଛି। ଏଠାକାର କରପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁମାନଙ୍କୁ ଟିକା ଦିଆଯାଇଛି ସେହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବଲିଉଡ ଅଭିନେତା ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଭିଆଇପିଙ୍କ ନାମ ରହିଛି ।

ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଘରୁ ଘର ସର୍ଭେ କଲାପରେ ଏହି ଜାଲିଆତି ସାମ୍ନାକୁ ଆସିଥିଲା। କରପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଦ୍ବାରା ଟେଷ୍ଟିଂ କରାଯାଇଥିବା ଲୋକଙ୍କ ତାଲିକାରେ ଶହ ଶହ ଜାଲ୍ ନାମ ଯୋଡି ଦିଆଯାଇଛି | ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ମଧ୍ୟ ଭୁଲ୍ ଦିଆଯାଇଛି ।

ଏଥି ସହିତ ଅକ୍ଟୋବର ୨୭ରେ ଆରଟି-ପିସିଆର୍ ପରୀକ୍ଷା ନାମରେ ଅନେକ ବଡ ବଡ ବ୍ୟକ୍ତିଙ୍କ ନାମ ସାମିଲ କରାଯାଇଛି | ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ସୋନିଆ ଗାନ୍ଧୀଙ୍କ ଭଳି ଭିଭିଆଇପି ଅଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଐଶ୍ୱର୍ଯ୍ୟା ରାୟଙ୍କ ସମେତ ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ନାମ ମଧ୍ୟ କରୋନା ଟେଷ୍ଟରେ ସାମିଲ ହୋଇଛି। ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ସିଧାସଳଖ କିଛି କହିବାକୁ ମନା କରିଛନ୍ତିି | ଅରୱାଲ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ କହିଛନ୍ତି, ‘ଏହି ମାମଲା ଅତ୍ୟନ୍ତ ଗମ୍ଭୀର। ଆମେ ଏହାର ତଦନ୍ତ କରୁଛୁ ଏବଂ ତଦନ୍ତ ପରେ ଏକ ଏତଲା ମଧ୍ୟ ଦେବୁ |

ପିଏମ ମୋଦିଙ୍କ ଜନ୍ମଦିନ ଅବସରରେ ସ୍ୱାସ୍ଥ୍ୟ ବିଭାଗ ଟିକାକରଣ ସହିତ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା ପରୀକ୍ଷା କରିବାକୁ ଟାର୍ଗେଟ ଦେଇଥିଲା। ଉକ୍ତ ଦିନ ଅନେକ ସ୍ଥାନରେ ରେକର୍ଡ ଟିକାକରଣ ହୋଇଥିବା ଦାବି ହୋଇଥିଲା | ତେବେ ଅରୱାଲରେ କରୋନା ଟେଷ୍ଟିଂ ଓ ଟିକାକୟଣରେ ଜାଲିଆତି ଦ୍ଵାରା ଲୋକଙ୍କ ନାମ ଯୋଡାଯାଇ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ପୂରଣ କରିଥିବା ଅଭିଯୋଗ ହୋଇଛି ।

Comments are closed.