ଟନେଲ୍ ଉଦ୍ଧାର କାର୍ଯ୍ୟ ସଫଳତା ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଟନେଲରୁ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ଏକ ଭାବପ୍ରବଣ ସଫଳତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଉଦ୍ଧାରକାରୀ ଦଳକୁ ପ୍ରଶଂସା କରିବା ସହ ଉଦ୍ଧାର ଶ୍ରମିକଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଲେଖିଛନ୍ତି – “ଟନେଲରେ ଯେଉଁ ସାଥୀମାନେ ଫସି ରହିଥିଲେ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ମୁଁ ଆପଣ ସମସ୍ତଙ୍କୁ ମଙ୍ଗଳ ଓ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି। ଏହା ବେଶ୍ ସନ୍ତୋଷଜନକ ବିଷୟ ଯେ ଦୀର୍ଘ ସମୟର ଅପେକ୍ଷା ପରେ ଆମର ଏହି ସାଥୀମାନେ ବର୍ତ୍ତମାନ ସେମାନଙ୍କର ଆତ୍ମୀୟଙ୍କୁ ଭେଟିବେ। ଏହି ଚ୍ୟାଲେଞ୍ଜିଂ ସମୟରେ ସେମାନଙ୍କ ପରିବାର ଲୋକ ଯେଉଁଭଳି ଧୈର୍ଯ୍ୟ ଏବଂ ସାହସର ପରିଚୟ ଦେଲେ ତାହାର ଯେତେ ପ୍ରଶଂସା କଲେ ବି କମ୍ ହେବ । ”

ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କ ଧୈର୍ଯ୍ୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସଲାମ କରିଛନ୍ତି। ଉଦ୍ଧାରକାରୀ ଦଳର ସାହସିକତା ଏବଂ ନିଷ୍ଠା ଆମ ଶ୍ରମିକ ଭାଇମାନଙ୍କୁ ନୂଆ ଜୀବନ ଦେଇଛି | ଏହି ମିଶନରେ ଜଡିତ ସମସ୍ତେ ମାନବିକତା ଏବଂ ଟିମ୍ ଓ୍ବାର୍କର ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମୋଦୀ କହିଛନ୍ତି।

ଉତ୍ତରାଖଣ୍ଡ ଟନେଲରୁ ସମସ୍ତ ୪୧ ଶ୍ରମିକଙ୍କ ସଫଳ ଉଦ୍ଧାର ପରେ‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଆଶ୍ବସ୍ତି ପ୍ରକାଶ କରିଛନ୍ତି ।‌ ସେ ଉଦ୍ଧାରକାରୀ ଦଳକୁ ସାବାସୀ ଜଣାଇଛନ୍ତି।

ଦୀର୍ଘ ୧୭ ଦିନ ପରେ ମଙ୍ଗଳବାର ସିଲକ୍ୟାରା ଟନେଲରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଶ୍ରମିକମାନଙ୍କୁ ଟନେଲ ନିକଟରେ ନିର୍ମିତ ଏକ ଅସ୍ଥାୟୀ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏହାପରେ ସମସ୍ତ ଶ୍ରମିକଙ୍କୁ ଚିନ୍ୟାଲିସୌର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା ।

Comments are closed.