ଗୁଜରାଟ ପୋଲ ଟ୍ରାଜେଡି: ଫିଟନେସ୍ ସାର୍ଟିଫିକେଟ ନଥିଲା, ଧାର୍ଯ୍ୟ ସମୟ ଆଗରୁ ଖୋଲି ଦିଆଯାଇଥିଲା

ଅହମ୍ମଦାବାଦ: ଅବସର ଥିଲା ଛଠ୍ ପର୍ବ | ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବି ସ୍ଥିତ ବ୍ରିଟିଶ ଅମଳର ଝୁଲା ପୋଲରେ ପ୍ରାୟ ୫୦୦ ଲୋକଙ୍କ ଭିଡ଼ ଜମିଥିଲା । ଚାହୁଁ ଚାହୁଁ ପୋଲଟି ହଠାତ୍ ଭାଙ୍ଗି ଯାଇଥିଲା ଓ ବହୁ ଲୋକ ନଦୀରେ ଖସିପଡ଼ିଥିଲେ । ଏହି ଦୁଃଖଦ ଘଟଣାରେ ଅତି କମରେ ୧୪୧ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି | ଉତ୍ସବ ଓ ହସଖୁସିର ମାହୋଲ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା | ୧୯ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି। ଏସବୁ ମଧ୍ୟରେ ମୋର୍ବିର ଝୁଲା ପୋଲକୁ ନେଇ ଚାଞ୍ଚଲ୍ୟକର ଅବହେଳା ଓ ଅନିୟମିତତା ସାମ୍ନାକୁ ଆସିଛି । ଏହି ପୋଲକୁ ଯିବା ପାଇଁ ଜଣ ପିଛା ୧୭ ଟଙ୍କା ଟିକେଟ୍ ବ୍ୟବସ୍ଥା ହୋଇଥିଲା । ଏହାଛଡ଼ା ପୋଲର କ୍ଷମତା ମାତ୍ର ୧୨୫ ଥିଲାବେଳେ ଘଟଣା ଦିନ କିନ୍ତୁ ପ୍ରାୟ ୫୦୦ ଲୋକଙ୍କୁ ଏହି ବ୍ରିଜକୁ ଯିବାକୁ ଅନୁମତି ଦିଆଯାଇଥିଲା |

ଏହି ପୋଲର ରକ୍ଷଣାବେକ୍ଷଣ ତଥା ମରାମତି କାର୍ଯ୍ୟ ପାଇଁ ମୋର୍ବି ମ୍ୟୁନିସିପାଲଟି ଏବଂ ଓରେଭା ଗ୍ରୁପ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ମରାମତି କାର୍ଯ୍ୟ ସକାଶେ କମ୍ପାନୀ ପୋଲକୁ ୮ ରୁ ୧୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିବାର ଥିଲା । କିନ୍ତୁ କେବଳ ୭ ମାସ ମଧ୍ୟରେ ଏହାକୁ ସର୍ବସାଧାରଣ ପାଇଁ ଖୋଲି ଦିଆଯାଇଥିଲା ଏବଂ ତାହା ପୁଣି ସ୍ଥାନୀୟ ପ୍ରଶାସନର ଫିଟନେସ୍ ସାର୍ଟିଫିକେଟ୍ ବିନା | ଭିଡ଼ ବଢ଼ି ଚାଲିଥିଲା ଏବଂ ସେମାନେ ଟିକେଟ ବିକ୍ରି କରିବାକୁ ଲାଗିଥିଲେ। ୧୨୬ ଟିକେଟ୍ ବିକ୍ରି କରିବା ପରେ ଯଦି ସେମାନେ ଲୋକଙ୍କୁ ଅଟକାଇଥାନ୍ତେ, ତେବେ ଏହି ଅଘଟଣକୁ ଏଡ଼ାଇ ଦିଆଇଯାଇ ପାରନ୍ତା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୫୦ ବର୍ଷ ପୁରୁଣା ପୋଲରେ ଅନେକ ମହିଳା ଓ ଶିଶୁ ଥିଲେ। ମରାମତି ପାଇଁ ମଚ୍ଛୁ ନଦୀ ଉପରେ ଥିବା ପୋଲ ୭ ମାସ ପାଇଁ ବନ୍ଦ ରହିଥିଲା। ୨୬ ଅକ୍ଟୋବରରେ ଗୁଜରାଟୀ ନୂଆ ବର୍ଷର ଅବସରରେ ଏହାକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା | ସ୍ଥାନୀୟ ନାଗରିକ ସଂଗଠନ ମୁଖ୍ୟ ସନ୍ଦୀପ ସିଂ ଜାଲା କହିଛନ୍ତି ଯେ ସେତୁର ମରାମତିକାରୀ ଏହାକୁ ଖୋଲିବା ପୂର୍ବରୁ ଅଧିକାରୀଙ୍କଠାରୁ ଫିଟନେସ୍ ସାର୍ଟିଫିକେଟ୍ ନେଇନଥିଲା । ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ଯେ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କମ୍ପାନୀ ବିରୋଧରେ ଏକ ଆପରାଧିକ ମାମଲା ରୁଜୁ ହୋଇଛି। ଯିଏ ଦାୟୀ ବୋଲି ଜଣାପଡିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି।

Comments are closed.