ପ୍ରଥମ ଦିନରେ ୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଗଲା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ସୋମବାରଠାରୁ ‘ପ୍ରିକସନ୍’ ବା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି | ପ୍ରଥମ ଦିନରେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଭାଗ ଯୋଦ୍ଧାଙ୍କ ସହ ୯ ଲକ୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଆଉ ୮୨ ଲକ୍ଷ ୭୬ ହଜାର ୧୫୮ ଡୋଜ୍ ଦିଆଯାଇଥିଲା । ଏଥିସହ ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୨.୭୮ କୋଟି କୋଭିଡ ଟିକା ଦିଆଯାଇଛି। ସୋମବାର ଦିଆଯାଇଥିବା ଡୋଜ ମଧ୍ୟରୁ ୧୫-୧୮ ବର୍ଷ ବୟସର ହିତାଧିକାରୀଙ୍କୁ ଦିଆଯାଇଥିବା ୨୧ ଲକ୍ଷ ୪୯ ହଜାର ୨୦୦ ଡୋଜ୍ ଅନ୍ତର୍ଭୁକ୍ତ | ୬୦ ବର୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ୨ ଲକ୍ଷ ୫୪ ହଜାର ୮୬୮, ସ୍ୱାସ୍ଥ୍ୟ କର୍ମୀଙ୍କୁ ୪ ଲକ୍ଷ ୯୧ ହଜାର ୧୩ ଡୋଜ୍ ପ୍ରଦାନ କରାଯାଇଥିବାବେଳେ ସମ୍ମୁଖଭାଗ ଯୋଦ୍ଧ କର୍ମଚାରୀଙ୍କୁ ୧ ଲକ୍ଷ ୯୦ ହଜାର ୩୮୩ ବୁଷ୍ଟର ଡୋଜ୍ ଦିଆଯାଇଛି।

୬୨୧୨ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ମୋଟ ୧୮,୭୯୫ ଲୋକଙ୍କୁ ସୋମବାର ଦିନ ଜାତୀୟ ରାଜଧାନୀରେ କୋଭିଡ ଟିକାର ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଛି। ଦିଲ୍ଲୀରେ ୬୦ ବର୍ଷରୁ ଅଧିକ ୮୦୪୦ ଲୋକଙ୍କୁ ଏବଂ ୪୫୪୩ ସମ୍ମୁଖଭାଗ କର୍ମଚାରୀଙ୍କୁ ତୃତୀୟ ଡୋଜ୍ ଦିଆଯାଇଥିଲା।

Comments are closed.