ସାଂସଦ ନବନୀତଙ୍କ ଅଭିଯୋଗ, ଜେଲ୍ କର୍ତ୍ତୃପକ୍ଷ କରୁଛନ୍ତି ଜାତିଆଣ ଆକ୍ଷେପ, ଛୋଟ ଜାତି କହି ପିଇବାକୁ ପାଣି ଦେଉନାହାଁନ୍ତି

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଜାରି ରହିଛି। ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାଂସଦ ନବନୀତ୍ ରାଣା ଜେଲ ଅଧିକାରୀଙ୍କ ବିରୋଧରେ ଜାତିଆଣ ଅଭିଯୋଗ ଆଣିଛନ୍ତି। ସେ ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଛୋଟ ଜାତି(ଦଳିତ)ର ବୋଲି କହି ପିଇବାକୁ ପାଣି ଦିଆଯାଇନଥିଲା। ନବନୀତ୍ ବର୍ତ୍ତମାନ ବାଇକୁଲା ମହିଳା ଜେଲରେ ଅଛନ୍ତି |

ଜେଲରେ ଥିବା ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣି ନବନୀତ୍ ରାଣା ଚିଠିରେ ଲେଖିଛନ୍ତି, ‘ମୋତେ ଏକ ଛୋଟ ଜାତିର ବୋଲି କହି ପାନୀୟ ଜଳ ଦିଆଯାଇନଥିଲା। ପରେ ଯେତେବେଳେ ମୁଁ ରାତିରେ ବାଥରୁମ ବ୍ୟବହାର କରିବାକୁ ଚାହୁଁଥିଲି, ପୋଲିସ୍ କର୍ମଚାରୀମାନେ ମୋର ଅନୁରୋଧ ପ୍ରତି ଧ୍ୟାନ ଦେଇନଥିଲେ | ମୋତେ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା… ମୋତେ କୁହାଯାଇଥିଲା ଯେ, ତୁମ ଭଳି ଛୋଟ ଜାତିର ଲୋକଙ୍କୁ ଆମର ବାଥରୁମ ବ୍ୟବହାର କରିବାକୁ ଦିଆଯିବ ନାହିଁ |

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ ନେଇ ଧମକ ଦେବା ପରେ ମୁମ୍ବାଇ ପୋଲିସ ରାଣା ଦମ୍ପତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ସେମାନଙ୍କୁ ଗିରଫ କରିଥିଲା ଏବଂ ପରେ ଉଭୟଙ୍କ ବିରୋଧରେ ରାଜଦ୍ରୋହ ଦଫା ମଧ୍ୟ ଲଗାଇଥିଲା। ରବିବାର ଦିନ ମୁମ୍ବାଇର ଏକ କୋର୍ଟ ରାଣା ଦମ୍ପତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ଏହା ପରେ ରବିବାର ବିଳମ୍ବିତ ରାତିରେ ଅମରାବତୀ ସାଂସଦ ନବନୀତ୍ ରାଣାଙ୍କୁ ବାଇକୁଲ୍ଲା ମହିଳା କାରାଗାରକୁ ନିଆଯାଇଥିଲା।

Comments are closed.