ଆପତ୍ତିଜନକ ଟ୍ବିଟ୍ ମାମଲାରେ ମହମ୍ମଦ ଜୁବେରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୨୦୧୮ର ଏକ ଟ୍ବିଟ୍ ମାମଲାରେ ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଦିଲ୍ଲୀ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି ଯେ ମହମ୍ମଦ ଜୁବେର ବିନା ଅନୁମତିରେ ଦେଶ ଛାଡ଼ି ପାରିବେ ନାହିଁ। ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଘୃଣାଭାବ ପ୍ରସାର କରିବା ଅଭିଯୋଗରେ ଜୁନ୍ ୨୭ରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା ୧୫୩-ଏ ଏବଂ ୨୯୫-ଏ ଲଗାଯାଇଥିଲା ।

ଏକ ଟ୍ବିଟର ହ୍ୟାଣ୍ଡେଲର ଅଭିଯୋଗ ଆଧାରରେ ମହମ୍ମଦ ଜୁବେରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ବୋଲି ଦିଲ୍ଲୀ ପୋଲିସ କହିଥିଲା । ଅଭିଯୋଗ ଅନୁଯାୟୀ, ମହମ୍ମଦ ଜୁବେର ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏକ ଫଟୋ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।

ଜୁବେରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ୨୦୧୮ର ଏକ ଟ୍ୱିଟ୍ ସହ ଜଡିତ ଯେଉଁଥିରେ ସେ ଏକ ଫଟୋଗ୍ରାଫ୍ ସେୟାର କରିଥିଲେ। ଜୁବେରଙ୍କୁ ଗିରଫ ଉପରେ ପ୍ରତିକ୍ରିୟା ରଖି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମଇତ୍ର କହିଥିଲେ ଜୁବେରଙ୍କୁ ଏକ ଚଳଚ୍ଚିତ୍ର ଫଟୋ ସେୟାର କରିବା ପାଇଁ ଗିରଫ କରାଯାଇଛି । ଜୁବେର ସେୟାର କରିଥିବା ଫଟୋରେ ଏକ ହୋଟେଲ ସାଇନବୋର୍ଡର ନାମ ‘ହନିମୁନ୍ ହୋଟେଲ’ ରୁ ‘ହନୁମାନ ହୋଟେଲ’ କୁ ବଦଳାଯାଇଥିଲା |

Comments are closed.