ବିଗିଡ଼ିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ି ଯାଇଛି। ମୁଲାୟମ ସିଂହ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଡକ୍ଟର ନରେଶ ଟ୍ରେହାନ ଏବଂ ଡକ୍ଟର ସୁଶୀଲା କଟାରିଆ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ୮୨ ବର୍ଷୀୟ ମୁଲାୟମ ସିଂହ ଯାଦବ ଗତ କିଛି ବର୍ଷ ଧରି ଅସୁସ୍ଥ ଅଛନ୍ତି। ତାଙ୍କର ୟୁରିନ ଇନଫେକ୍ସନ ସମସ୍ୟା ଥିବା କୁହାଯାଇଛି। ରବିବାର ମୁଲାୟମ ସିଂହ ଯାଦବ ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଛି ଯେ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇବା ସହ ରକ୍ତଚାପ ମଧ୍ୟ କମିଯାଇଥିଲା।

ଅନ୍ୟପକ୍ଷରେ ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇବା ପରେ ତାଙ୍କ ପୁଅ ତଥା ଏସପି ଜାତୀୟ ସଭାପତି ଅଖିଳେଶ ଯାଦବ ଲକ୍ଷ୍ନୌ ରୁ ଦିଲ୍ଲୀ ଯାଇଛନ୍ତି। ଜୁଲାଇରେ ମୁଲାୟମ ସିଂହଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ।

Comments are closed.