ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିଶ୍ୱର ପ୍ରଥମ ଦଳ ଭାବେ ଜିତିଲା ୧୫୦ ଟି-୨୦ ମ୍ୟାଚ୍

ମୁମ୍ବାଇ: କ୍ରମାଗତ ତିନୋଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଖାତା ଖୋଲିଛି । ରବିବାର ଅନୁଷ୍ଠିତ ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ଶେଷରେ ବିଜୟ ସ୍ବାଦ ଚାଖିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ସ‌ହ ଦଳ ଇତିହାସ ରଚିଛି। ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ୧୫୦ ତମ ବିଜୟ। ବିଶ୍ବର ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମାଇଲଖୁଣ୍ଟ ଛୁଇଁଛି । ଟି-୨୦ କ୍ରିକେଟରେ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ତାଲିକାରେ ଆଉ ଏକ ସଫଳ ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ ସ୍ଥାନରେ ରହିଛି | ଚେନ୍ନାଇ ସୁପର କିଙ୍ଗ୍ସ ଟି-୨୦ କ୍ରିକେଟରେ ମୋଟ ୧୪୮ଟି ମ୍ୟାଚ୍ ଜିତିଛି | ଭାରତୀୟ ଦଳ ୧୪୪ ବିଜୟ ସହ ତୃତୀୟ ସ୍ଥାନରେ ଅଛି ।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ପାଞ୍ଚ ୱିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର୍ କରିଥିଲା। ଏହାର ଜବାବରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟରେ ୨୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ତିନୋଟି ପରାଜୟ ପରେ ଏହା ମୁମ୍ବାଇର ପ୍ରଥମ ବିଜୟ ହୋଇଥିବାବେଳେ ପାଞ୍ଚଟି ମ୍ୟାଚରେ ଦିଲ୍ଲୀର ଚତୁର୍ଥ ପରାଜୟ। ଏହି ପରାଜୟ ସହିତ ଦିଲ୍ଲୀ ପଏଣ୍ଟ ଟେବୁଲର ସବା ଶେଷକୁ ଖସିଛି।

Comments are closed.