ମହିଳା ପ୍ରିମିୟର ଲିଗ୍ ଉଦଘାଟିତ, ବଡ଼ ବିଜୟରୁ ଅଭିଯାନ ଆରମ୍ଭ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ପ୍ରଥମ ସଂସ୍କରଣ ଉଦଘାଟିତ ହୋଇଛି । ଟିମ୍ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଗୁଜରାଟ ଜାଏଣ୍ଟସକୁ ୧୪୩ ରନ୍ ବ୍ୟବଧାନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏଠାରେ ଉଲ୍ଲେଖଯୋଗ୍ୟ ଆଇପିଏଲର ସବୁଠାରୁ ବଡ଼ ବିଜୟ ମୁମ୍ବାଇ ଇଣ୍ଡିଆନ୍ସ ନାମରେ ହିଁ ରେକର୍ଡ କରାଯାଇଛି। ଦଳ ୨୦୧୭ ସିଜନରେ ୧୪୬ ରନରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) କୁ ହରାଇଥିଲା |

ମୁମ୍ବାଇ ବିଜୟର ନାୟିକା ଥିଲେ ବାମହାତୀ ସ୍ପିନର ସାଇକା ଇଶାକ ଏବଂ କ୍ୟାପଟେନ୍ ହରମନପ୍ରୀତ କୌର । କୌର ଟୁର୍ଣ୍ଣାମେଣ୍ଟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୫ ୱିକେଟରେ ୨୦୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଗୁଜୁରାଟ ବ୍ୟାଟ୍ସମ୍ୟାନ୍ ୧୫.୧ ଓଭରରେ ମାତ୍ର ୬୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶାକ୍ ୩.୧ ଓଭରରେ ୪ ୱିକେଟ୍ ନେଇଥିଲେ ।

ଗୁଜରାଟ ଅଧିନାୟିକା ବେଥ୍ ମୁନୀ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ମୁମ୍ବାଇ ଶୀଘ୍ର ଓପନର ୟସ୍ତିକା ଭାଟିଆ (୧)ଙ୍କ ୱିକେଟ୍ ହରାଇଥିଲା । ହେଲେ ହାଲେ ମାଥ୍ୟୁସ୍ ଓ ସ୍କିଭର ବ୍ରଣ୍ଟ ଦ୍ୱିତୀୟ ୱିକେଟରେ ୫୪ ରନ୍ ଯୋଗକରି ପାଳି ସମ୍ଭାଳିଥିଲେ । ଇଂଲଣ୍ଡ ବ୍ୟାଟର ବ୍ରଣ୍ଟ୍ ୧୮ ବଲରୁ ଦ୍ରୁତ ୨୩ ରନ୍ କରି ଆଉଟ୍ ହୋଇଥିବା ୱେଷ୍ଟଇଣ୍ଡିଜର ମାଥ୍ୟୁସ୍ ୩୧ଟି ବଲରେ ୩ଟି ଚୌକା ଓ ୪ଟି ଛକା ସହ ୪୭ ରନ୍ କରିଥିଲେ । ତାଙ୍କୁ ଆଉଟ୍ କରି ଆଶଲେ ଗାର୍ଡନର ଗୁଜରାଟକୁ ଆଶ୍ୱସ୍ତି ଦେଇଥିଲେ । କିନ୍ତୁ ଗୁଜରାଟର ଏହି ଖୁସି କ୍ଷଣିକ ମଧ୍ୟରେ ଉଭେଇ ଯାଇଥିଲା । କାରଣ ମୁମ୍ବାଇ ଅଧିନାୟିକା ହରମନପ୍ରୀତ ଓ ଆମେଲିଆ କେର୍ ତୁଫାନି ପାଳି ଖେଳି ଗୁଜରାଟ ଉପରେ ଚାପ ପକାଇଥିଲେ । ଦୁହେଁ ଚତୁର୍ଥ ୱିକେଟରେ ୮୯ ରନ୍ ଯୋଗ କରିଥିଲେ । ହରମନପ୍ରୀତ ମାତ୍ର ୩୦ଟି ବଲରେ ୧୪ଟି ଚୌକା ସହ ୬୫ ରନ୍ କରିଥିଲେ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଷ୍ଟାର କେର୍ ମାତ୍ର ୨୪ଟି ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ଧୂଆଁଧାର ତଥା ଅପରାଜିତ ୪୫ ରନ୍ କରିଥିବା ବେଳେ ମୁମ୍ବାଇ ୨୦୦ ଟପିଥିଲା । ଶେଷ ଆଡକୁ ପୂଜା ବସ୍ତ୍ରାକର ମଧ୍ୟ ୮ଟି ବଲରେ ୩ଟି ଚୌକା ସହ ଦ୍ରୁତ ୧୮ ରନ୍ ସଂଗ୍ରହ କରିଥିଲେ । ମୁମ୍ବାଇ ଧାର୍ଯ୍ୟ ଓଭର ଖେଳି ୫ ୱିକେଟରେ ୨୦୭ ରନର ସ୍କୋର ଛିଡ଼ା କରିଥିଲା ।

Comments are closed.