ମୁମ୍ବାଇ ଜିତିଲା ରେକର୍ଡ ୪୨ତମ ରଣଜୀ ଟ୍ରଫି ଟାଇଟଲ୍

ମୁମ୍ବାଇ: ଶେଷରେ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଫାଇନାଲର ପଞ୍ଚମ ତଥା ଶେଷ ଦିନରେ ବିଦର୍ଭକୁ ୧୬୯ ରନରେ ହରାଇ ରେକର୍ଡ ୪୨ତମ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ଜିତିଛି ମୁମ୍ବାଇ।

ଏହି ଟୁର୍ଣ୍ଣାମେଣ୍ଟ ୯୦ ବର୍ଷ ଇତିହାସରେ ମୁମ୍ବାଇ ୪୮ତମ ଥର ଫାଇନାଲରେ ପ୍ରବେଶ କରିଥିଲା | ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲର ଫଳାଫଳ ପ୍ରାୟ ସେତେବେଳେ ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ବିଦର୍ଭକୁ ୫୩୮ ରନ୍‌ର ଅସମ୍ଭବ ପ୍ରାୟ ଟାର୍ଗେଟ୍ ଦେଇଥିଲା ମୁମ୍ବାଇ।

ତେବେ ପ୍ରଥମ ସେସନରେ ବିଦର୍ଭ ଅଧିନାୟକ ଅକ୍ଷୟ ୱାଡକର (୧୦୨) ଏବଂ ହର୍ଷ ଦୁବେ (୬୫) ମୁମ୍ବାଇ ବୋଲରଙ୍କୁ ହଇରାଣ କରିଥିଲେ । ବିଦର୍ଭ ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ୨୪୮/୫ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ଦଳକୁ ବିଜୟ ପାଇଁ ଆହୁରି ୨୯୦ ରନ୍ ଆବଶ୍ୟକ ହେଉଥିଲା। ତେବେ ବିଦର୍ଭ ଦଳ ୩୬୮ ରନରେ ଆଉଟ୍ ହୋଇଯାଇଥିଲା ।

ୱାଡକର ଚଳିତ ବର୍ଷ ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ ଏବଂ ସିଜନରେ ୬୦୦ ରନ୍ ଟପିଥିଲେ । ଦୁବେ ମଧ୍ୟ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ | ଦୁହେଁ ୧୯୪ ମିନିଟ୍ ଏବଂ ୨୫୫ ବଲ୍ ଧରି କ୍ରିଜ୍ ଅକ୍ତିଆର କରି ମୁମ୍ବାଇକୁ ପାଣି ପିଆଇଥିଲେ।

ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାର କିଛି ମିନିଟ୍ ପରେ ୱାଡକରଙ୍କୁ ଆଉଟ୍ କରି ତନୁଶ କୋଟିୟାନ୍ ଶେଷରେ ଏହି ଯୋଡ଼ି ଭାଙ୍ଗିଥିଲେ। ଏହି ଭାଗିଦାରୀ ଭାଙ୍ଗିବା ପରେ ବିଦର୍ଭର ପରାଜୟ ନିଶ୍ଚିତ ହୋଇଯାଇଥିଲା | କ୍ରମାଗତ ଦୁଇଥର ଟାଇଟଲ ଜିତିବା ପରେ ବିଦର୍ଭ ଏଥରକୁ ମିଶାଇ ତିନିଥର ଫାଇନାଲ ହାରିଛି ।

ମୁମ୍ବାଇ ପକ୍ଷରୁ ତନୁଶ କୋଟିୟାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ ମୁସୀର ଖାନ୍ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ।

Comments are closed.