୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ସମ୍ମାନ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ ବାଜପେୟୀ-ଧନୂଷ୍ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ମିଳିଛି । ପୁରସ୍କାର ଗ୍ରହଣ କରିବାକୁ ରଜନୀକାନ୍ତ ମଞ୍ଚରେ ପହଞ୍ଚିବା ମାତ୍ରେ ଏହି ବର୍ଷିୟାନ ଅଭିନେତାଙ୍କୁ ସମସ୍ତେ ଠିଆ ହୋଇ ଅଭିବାଦନ ଜଣାଇଥିଲେ। ଭାରତୀୟ ସିନେମାରେ ତାଙ୍କର ୪୫ ବର୍ଷର ଅବଦାନକୁ ସ୍ୱୀକୃତି ପୂର୍ବକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ କଙ୍ଗନା ରାନାୱତ, ମନୋଜ ବାଜପେୟୀ ଏବଂ ରଜନୀକାନ୍ତଙ୍କ ଜ୍ବାଇଁ ଧନୂଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତା ବର୍ଗରେ ଜାତୀୟ ପୁରସ୍କାର ମିଳିଛି ।

ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ କଙ୍ଗନା ରାନାୱତ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ମନୋଜ ବାଜପେୟୀ ଫିଲ୍ମ ‘ଭୋଁସଲେ’ ଏବଂ ଧନୂଷ ‘ଅସୁରାନ୍’ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

‘ଶଲା ବୁଢ଼ାର ବଦଲା’ ଓ ‘କାଲିର‌ ଅତୀତ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛନ୍ତି । ହିନ୍ଦୀ ସିନେମା ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ‘ଚିଛୋରେ’ ପୁରସ୍କୃତ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ।

ମାର୍ଚ୍ଚ ୨୦୧୧ ରେ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା | ଉଲ୍ଲେଖଯୋଗ୍ୟ ଯେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ ପାଇଁ ପ୍ରଦାନ କରାଯାଇଛି |

Comments are closed.