ନବୀନ ପଟ୍ଟନାୟକ : ସ୍ନେହ ଓ କରୁଣାର ପ୍ରତୀକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଯୁବକଙ୍କ କଲ୍ୟାଣ ଓ ଉନ୍ନତି ସର୍ବଦା ପ୍ରାଥମିକତା ରହିଆସିଛି । ଓଡିଶା ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମରେ ନବୀନଙ୍କ ଯୁବପ୍ରୀତିର ପ୍ରତିଫଳନ ଦେଖିବାକୁ ମିଳେ । ଯୁବ ପୀଢିଙ୍କ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି ମୁଖ୍ୟମନ୍ତ୍ରୀ । ଯୁବକମାନେ କିପରି ଆତ୍ମ ନିର୍ଭରଶୀଳ ଓ ସଶକ୍ତ ହୋଇ ବିକାଶରେ ପଥରେ ଆଗେଇ ଯିବେ, ସେ ବାବଦରେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଆସିଛନ୍ତି । କୋଭିଡ ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ପୁଣି ଥରେ ପ୍ରମାଣ କରିଛି ଯୁବକଙ୍କ ହିତକୁ ଅନୁକଂପା ଓ ଯତ୍ନର ସହକାରେ ଧ୍ୟାନ ଦେବା ଉଚିତ ।

ପରୀକ୍ଷାର୍ଥୀଙ୍କ ସାମଗ୍ରିକ ହିତ ଦୃଷ୍ଟିରୁ ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ମହାମାରୀ ଦୃଷ୍ଟିରୁ ଜେଇଇ ମେନ୍ ଓ ନିଟ୍ ସ୍ଥଗିତ ରଖିବାକୁ ଅନୁରୋଧ କରି ପ୍ରଥମେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କଙ୍କୁ ଚିଠି ଲେଖଥିଲେ ନବୀନ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନସୀକୁ ମଧ୍ୟ ଅନୁରୋଧ କରିଥିଲେ ନବୀନ । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହୋଇ ବର୍ତମାନ ପରୀକ୍ଷାର ସମୟ ନାହିଁ ବୋଲି ବୁଝାଇବାକୁ ଚେଷ୍ଟା କରିଥିଲେ । ରାଜ୍ୟରେ ମହାମୀରୀ ଓ ବନ୍ୟାର ସାଂପ୍ରତିକ ସ୍ଥିତି ପରୀକ୍ଷାର୍ଥୀଙ୍କ ସମ୍ଭାବନାରେ ବାଧା ପଂହଚାଇବ ବୋଲି ହୃଦବୋଧ କରିଥିଲେ ନବୀନ ।

ତେବେ, ସେପଟେମ୍ବର ମାସର ପ୍ରଥମ ଦୁଇ ସପ୍ତାହରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପରୀକ୍ଷା ହେବ ବୋଲି ସ୍ପଷ୍ଟ ହେଲା ପରେ ରାଜ୍ୟର ହଜାର ହଜାର ପରୀକ୍ଷାର୍ଥୀଙ୍କ ସହାୟତା ପାଇଁ ତୁରନ୍ତ ଆଗେଇ ଆସିଥିଲେ ନବୀନ ସରକାର । ପରୀକ୍ଷାର୍ଥୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ । ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ପରିବହନ ଓ ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ହେବାକୁ ଥିବା ଜିଲ୍ଲାର ପ୍ରଶାସନ ବେଶ୍ ତତ୍ପରତା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ଓ ସେମାନଙ୍କ ମାଆବାପାଙ୍କର ସହାୟତା ପାଇଁ ତୁରନ୍ତ ନୋଡାଲ୍ ସେଂଟର ପ୍ରତିଷ୍ଠା ହୋଇଥିଲା ।

ପରୀକ୍ଷାର୍ଥୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ନିଷ୍ପତିରୁ ସ୍ପଷ୍ଟ ଅନୁମେୟ ଯେ, ସେ ଯୁବକଙ୍କ ଭବିଷ୍ୟତକୁ କେତେ ଗୁରୁତ୍ୱ ଦିଅନ୍ତି । ମହାମାରୀ ଓ ଲକଡାଉନ କଟକଣା ସହ ଯୁବକମାନେ ସଂଘର୍ଷ କରୁଥିବା ବେଳେ ପରୀକ୍ଷାର ବୋଝ ସେମାନଙ୍କ ଚାପକୁ ଦ୍ୱିଗୁଣିତ କରିପାରେ । ଏଭଳି ସ୍ଥିତି ସେମାନଙ୍କ ପରୀକ୍ଷା ଫଳ ଉପରେ ବି ନକାରାତ୍ମକ ପ୍ରଭାବ ପକାଇପାରେ ।

ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସଟଡାଉନ ଓ ଲକଡାଉନ କଟକଣା କୋହଳ କରାଯିବାକୁ ବି ନିଷ୍ପତି ହୋଇଛି । ଏହାଫଳରେ ପରୀକ୍ଷା ଦିନ ଛାତ୍ରଛାତ୍ରୀମାନେ ବିନାବାଧାରେ ଯାତାୟତ କରିପାରିବେ । ଏହି ନିଷ୍ପତି ଫଳରେ ପରୀକ୍ଷାର୍ଥୀ ଓ ସେମାନଙ୍କ ମାଆବାପାଙ୍କ ପାଇଁ ଥିବା ଏକ ବଡ ପ୍ରତିବନ୍ଧକ ଦୂର କରିପାରିଛି । ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଚିନ୍ତା ହ୍ରାସ ପାଇଁ ସେମାନଙ୍କ ପରିବହନ ଓ ରହିବା ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ହଜାର ହଜାର ପରୀକ୍ଷାର୍ଥୀଙ୍କ ମାନସିକ ଚାପ ଦୂର କରିବାରେ ଏହା ନିଶ୍ଚିତ ଭାବେ ସହାୟକ ହେବ ।

ଦେଶରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେତେବେଳେ କି ରାଜ୍ୟ ସରକାର ବଡ ଧରଣର ଭାବେ ଛାତ୍ରଛାତ୍ରୀଙ୍କ ପରିବହନ ଓ ରହଣି ବ୍ୟବସ୍ଥା କରିବାର ଦାୟିତ୍ୱ ମୁଣ୍ଡାଇଛନ୍ତି । ରାଜ୍ୟର ୭ଟି ସହରରେ ୨୭ଟି ପରୀକ୍ଷା କେନ୍ଦ୍ରରେ ୩୭ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି । ଦୂରଦୂରାନ୍ତ ଅଂଚଳର ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ନିଷ୍ପତି ଦ୍ୱାରା ବେଶ୍ ଉପକୃତ ହେବେ ।

ପରୀକ୍ଷାର୍ଥୀଙ୍କ ପାଇଁ ପରିବହନ ଓ ରହଣି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ଆଦିତ୍ୟ ବିକ୍ରମ ଚୌଧୁରୀ ନାମକ ଜଣେ ଛାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏଭଳି ଏକ ନିଷ୍ପତି ନେବେ ବୋଲି ସେ କେବେ ଭାବି ନ ଥିଲେ । ଲକଡାଉନ କଟକଣା ଯୋଗୁଁ ସେ କିଭଳି ପରୀକ୍ଷା ଦେବେ, ସେ ନେଇ ଚିନ୍ତିତ ଥିଲେ ବିକ୍ରମ । କିନ୍ତୁ ସରକାରଙ୍କ ପରିବହନ ଓ ରହଣି ବ୍ୟବସ୍ଥା ତାଙ୍କୁ ଆଶ୍ୱସ୍ତି ଦେଇଛି ।

କେ.ସି ସାହୁ ନାମକ ଜଣେ ସେନା କର୍ମଚାରୀ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତିରେ ବେଶ୍ ଆଶ୍ୱସ୍ତ । ଭୁବନେଶ୍ୱରରେ ତାଙ୍କ ପୁଅ ଜେଇଇ ପରୀକ୍ଷା ଦେବାକୁ ଥିବା ବେଳେ ପରିବହନ ନେଇ ସେ ଚିନ୍ତିତ ଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ପତି ପରେ ତାଙ୍କ ଚିନ୍ତା ଦୂର ହୋଇଛି । କୋଚିଂ ସେଂଟରଗୁଡିକ ମଧ୍ୟ ନବୀନଙ୍କ ନିଷ୍ପତିକୁ ହୃଦୟର ସହ ସ୍ୱାଗତ କରିଛନ୍ତି । ଏକ କୋଚିଂ ସେଂଟର ଚଳାଉଥିବା ଶିକ୍ଷକ ସୁଧୀର କୁମାର ରାଉତ ପରୀକ୍ଷାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ରାଉରକେଲାରେ ନିଜ ଝିଅର ପରୀକ୍ଷା କେନ୍ଦ୍ର ପଡିଥିବାରୁ ମାଆ ମନ୍ଦାକିନୀ ସାହୁ ବେଶ୍ ଚିନ୍ତିତ ଥିଲେ । ଝିଅର ରହିବା ଚିନ୍ତା ତାଙ୍କୁ ଘାରିଥିଲା । କାରଣ କୋରୋନା ଯୋଗୁଁ ରାଉରକେଲାରେ ସବୁ ହୋଟେଲ ବନ୍ଦ ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକ ବଡ ନିଷ୍ପତି ନେଇଥିବାରୁ ତାହାର ସ୍ୱାଗତ କରିଛନ୍ତି ମନ୍ଦାକିନୀ । ଠିକ୍ ସମୟରେ ଠିକ୍ ନିଷ୍ପତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ଓଡିଶା –ମୋ ପରିବାର’ ମଧ୍ୟ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀଙ୍କ ସହାୟତା କରିବାକୁ ଆଗେଇ ଆସିଛି । ନୋଡାଲ ଅଫିସର ଏବଂ ଓଡିଶା –ମୋ ପରିବାରର ସ୍ୱେଚ୍ଛାସେବୀମାନଙ୍କୁ ରାଜ୍ୟର ସମସ୍ତ ୨୬ଟି ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି । ପ୍ରତି ୫୦ ପରୀକ୍ଷାର୍ଥୀଙ୍କ ପିଛା ଜଣେ ଜଣେ ସ୍ୱେଛାସେବୀ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ, ଆଇଟିଆଇର ଅଧ୍ୟକ୍ଷ,ଡିନ୍ ନୋଡାଲ କଂଟାକ୍ଟ ବ୍ୟକ୍ତିଙ୍କୁ ସେମାନ ସହଯୋଗ କରିବେ । ମୋ ପରିବାର ଟିମ୍ ପରୀକ୍ଷାର୍ଥୀଙ୍କ ପାଇଁ ରହଣୀ ,ସାନିଟାଇଜର ଓ ମାସ୍କ ଯୋଗାଣରେ ସହାୟତା କରିବେ । ସରକାରୀ ସ୍ତରରେ ସବୁ ବ୍ୟବସ୍ଥା କରିବା ସହ ଓଡିଶା –ମୋ ପରିବାର ଭଳି ଅଣରାଜନୈତିକ ସଂଗଠନକୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ପ୍ରକୃତ ଜନନେତାଙ୍କ ପାଇଁ ଯୁବକମାନେ ହେଉଛନ୍ତି ପ୍ରାଥମିକତା । ଯୁବ ସଶକ୍ତିକରଣ ଓ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି ନବୀନ । ଏକ ପ୍ରତିକୂଳ ସମୟରେ ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଅତି କମ୍ ସମୟରେ ସମସ୍ତ ପ୍ରକାର ସୁବିଧା କରିବା ଜଣେ ଦୂରଦୃଷ୍ଟିସଂପନ୍ନ ନେତାଙ୍କ ପକ୍ଷେ ହିଁ ସମ୍ଭବ ।

ଡକ୍ଟର ଗୋପବନ୍ଧୁ ଦାଶ

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଓଏସଡି

Comments are closed.