ବଢ଼ିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁ‌ଆ, ଲାଞ୍ଚ କାରବାର ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଜଣେ ସାକ୍ଷୀଙ୍କ ଦ୍ବାରା ଲାଞ୍ଚ ଅଭିଯୋଗ ପରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ଅଡ଼ୁ‌ଆ ବଢିଛି । ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି। ଏନସିବି ଡିଜି ଧନେଶ୍ୱର ସିଂଙ୍କ ସୂଚନା ଅନୁଯାୟୀ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ସାକ୍ଷୀ ଥିବା ପ୍ରଭାକର ସାଇଲ୍ ଏନସିବି ସମୀର ୱାଙ୍ଖେଡେଙ୍କ ବିରୋଧରେ ଚାଞ୍ଚଲ୍ୟ କର ଅଭିଯୋଗ ଆଣିଥିଲେ ‌। ଆର୍ୟନଙ୍କୁ ଛାଡ଼ିବା ପାଇଁ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ୮ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ସାଇଲ୍ ଅଭିଯୋଗ କରିଥିଲେ ‌। ତେବେ ୱାଙ୍ଖେଡେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ତାଙ୍କୁ ଫସାଇବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ‌।

ଏହି ସମୟରେ ଏହି ମାମଲା ସହ ଜଡିତ ଦୁଇଟି ସତ୍ୟପାଠ କୋର୍ଟରେ ଦାଖଲ କରାଯାଇଛି। ଗୋଟିଏ ଏନସିବି ପକ୍ଷରୁ ଏବଂ ଅନ୍ୟଟି ୱାଙ୍ଖେଡେଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏନସିବି କୋର୍ଟରେ ଏନସିବି ଦାଖଲ କରିଥିବା ଏକ କାଉଣ୍ଟର ଆଫିଡେଭିଟରେ ଏଜେନ୍ସି କହିଛି ଯେ ସାକ୍ଷୀ ପଲଟି ଯାଇଛନ୍ତି। ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ହାଜର ହୋଇଥିବା ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କୁ ଟାର୍ଗେଟ କରାଯାଉଛି ଏବଂ ସେ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ସମୀର ୱାଙ୍ଖେଡେ ତାଙ୍କ ସତ୍ୟପାଠରେ ତାଙ୍କୁ ଧମକ ଦିଆଯାଉଥିବା ତଥା ତଦନ୍ତରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି।

ପ୍ରଭାକର ସାଇଲ୍ ନାମକ ଜଣେ ସ୍ୱାଧୀନ ସାକ୍ଷୀଙ୍କ ଅଭିଯୋଗ ସହ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ଏକ ନୂଆ ମୋଡ଼ ନେଇଛି। ‘ସ୍ବାଧୀନ ସାକ୍ଷୀ’ ପ୍ରଭାକର ସାଇଲ୍ ଦାବି କରିଛନ୍ତି ଯେ ଅକ୍ଟୋବର ୩ରେ ଆର୍ଯ୍ୟନଙ୍କୁ ଏନସିବି କାର୍ଯ୍ୟାଳୟକୁ ଅଣାଯିବା ଏହି ମାମଲାରେ ‌‌ଏନସିବିର ଅନ୍ୟତମ ସାକ୍ଷୀ କିରନ୍ ଗୋସାଭି ଫୋନରେ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ଶୁଣିଥିଲେ । ଆର୍ୟନଙ୍କୁ ଛାଡ଼ିବା ପାଇଁ ତାଙ୍କ ବାପା ତଥା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ଦାବି କରିବାକୁ ଗୋସାଭି ଡି’ସୁଜାଙ୍କୁ କହିଥିଲେ ।

ପରେ ଏହି ଡିଲ୍ ୧୮ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିଲା । ଏଥିରୁ ୱାଙ୍ଖେଡେ (ଏନସିବିର ଜୋନାଲ ନିର୍ଦ୍ଦେଶକ)ଙ୍କୁ ୮ କୋଟି ଟଙ୍କା ଦେବାକୁ ଗୋସାଭି ଓ ଡି’ସୁଜାଙ୍କ ମଧ୍ୟରେ କଥା ଛିଡିଥିଲା ‌। ସାଇଲ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏନସିବି ଅଧିକାରୀମାନେ ତାଙ୍କୁ ନଅରୁ ୧୦ଟି ସାଧା କାଗଜରେ ଦସ୍ତଖତ କରିବାକୁ କହିଥିଲେ। ତେବେ ଏନସିବି ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Comments are closed.