କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ ଗୋସାଭି ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ କେ.ପି ଗୋସାଭିଙ୍କୁ ପୁଣେ ପୋଲିସ ଗିରଫ କରିଛି। କେପି ଗୋସାଭି ଗତ କିଛି ଦିନ ଧରି ଫେରାର ଥିଲେ। କେପି ଗୋସାଭିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରାଯାଇଛି। ପୁଣେରେ ଗୋସାଭିଙ୍କ ବିରୋଧରେ ଠକେଇ ମାମଲା ମଧ୍ୟ ରହିଛି।

କେପି ଗୋସାଭି ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାଭି ଆତ୍ମସମର୍ପଣ କରିନାହାଁନ୍ତି। ଗୁଇନ୍ଦା ସୂଚନା ଆଧାରରେ ଆମେ ତାଙ୍କୁ ଗିରଫ କରିଛୁ। ବିଦେଶରେ ଚାକିରି କରାଇଦେବା କହି ଗୋସାଭି ବହୁ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗୋସାଭିଙ୍କ ବିରୋଧରେ ପୁଣେ ପୋଲିସ ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ ଯେ ନିକଟରେ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସାଇଲ୍ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ। ପ୍ରଭାକର ସାଇଲ୍ କହିଥିଲେ ଯେ ଆର୍ୟନଙ୍କୁ ଛାଡ଼ିବା ପାଇଁ ଗୋସାଭି ଏକ ଡିଲ୍ କରିଥିଲେ ‌। ପ୍ରଭାକର ସାଇଲ ନିଜକୁ କେପି ଗୋସାଭିଙ୍କ ଅଙ୍ଗରକ୍ଷୀ ବୋଲି କହନ୍ତି । କ୍ରୁଜ ପାର୍ଟି ଚଢାଉ ବେଳେ ସେ ଗୋସାଭିଙ୍କ ସହ ଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ପ୍ରଭାକର ସାଇଲ୍ ଦାବି କରିଥିଲେ ଯେ କେପି ଗୋସାଭି, ସାମ୍ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥାବାର୍ତ୍ତା କରି ଆର୍ୟନଙ୍କ ବାପା ତଥା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ଦାବି କରିବାକୁ କହିଥିଲେ । ପରେ ସେମାନେ ଏହି ଡିଲ୍ ୧୮ କୋଟି ଟଙ୍କାରେ ଚୂଡାନ୍ତ କରିବାକୁ କଥା ହୋଇଥିଲେ। କେପି ଗୋସାଭି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ୮ କୋଟି ଟଙ୍କା ଦେବା ନେଇ ମଧ୍ୟ ଆଲୋଚନା କରିଥିଲେ।

କ୍ରୁଜ ଡ୍ରଗ୍ ମାମଲା ପରେ କିରଣ ଗୋସାଭିଙ୍କ ନାମ ପ୍ରଥମେ ସାମ୍ନାକୁ ଆସିଥିଲା ​​ଯେତେବେଳେ ସେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ତାଙ୍କର ସେଲଫି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେତେବେଳେ ଅନେକଙ୍କ ଧାରଣା ଥିଲା ଯେ ସେ ଏନସିବିର ଜଣେ ଅଧିକାରୀ ହୋଇଥିବେ। ପରେ ଏନସିବି ସ୍ପଷ୍ଟ କରିଥିଲା ଯେ ସେ ଜଣେ ପ୍ରାଇଭେଟ୍ ଡିଟେକ୍ଟିଭ୍ ଏବଂ ଏକ ପ୍ଲେସମେଣ୍ଟ ଏଜେନ୍ସିର ମାଲିକ । କ୍ରୁଜ ମାମଲାର ୧୦ ଜଣ ନିରପେକ୍ଷ ସାକ୍ଷୀଙ୍କ ମଧ୍ୟରୁ ଗୋସାଭି ଅନ୍ୟତମ ସାକ୍ଷୀ ବୋଲି ଏନସିବି କହିଥିଲା।

Comments are closed.