ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କୁ ଘେରିଲା ବିଜେପି; ମହିଳା କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ମନ୍ତବ୍ୟ ନେଇ ଝଡ଼ ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ତୀବ୍ର ଆପତ୍ତି ଉଠାଇବା ସହ କଂଗ୍ରେସ କ୍ଷମା ମାଗୁ ବୋଲି ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ଉଦିତ ରାଜଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଉଦିତ ରାଜ ଟ୍ୱିଟ୍ କରି ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଉଦିତ ରାଜଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି – ‘ରାଷ୍ଟ୍ରପତିଙ୍କ ପାଇଁ ସେ (ଉଦିତ ରାଜ) ଯେଉଁ ପ୍ରକାର ଶବ୍ଦ ବ୍ୟବହାର କରିଛନ୍ତି ତାହା ଚିନ୍ତାଜନକ । କଂଗ୍ରେସ ରାଷ୍ଟ୍ରପ୍ରତିଙ୍କ ଉପରେ ଏପରି ଶବ୍ଦ ବ୍ୟବହାର କରିବା ପ୍ରଥମ ଦୃଷ୍ଟାନ୍ତ ନୁହେଁ । ଏହାପୂର୍ବରୁ ଅଧୀର ରଂଜନ ଚୌଧୁରୀ ଜୀ ଏପରି କରିଥିଲେ … ଆମେ ତାହା ମଧ୍ୟ ଶୁଣିଛୁ।

‘ଏସବୁ କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି। ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ୍।

ଏହା ସହିତ ଜାତୀୟ ମହିଳା କମିଶନ ଉଦିତ ରାଜଙ୍କୁ ଏହି ମାମଲାରେ କ୍ଷମା ମାଗିବାକୁ ନୋଟିସ ଜାରି କରିଛନ୍ତି।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ କରି ଲେଖିଛନ୍ତି – ‘ଦେଶର ସର୍ବୋଚ୍ଚ ଶକ୍ତି ଏବଂ ଜଣେ ମହିଳା, ଯିଏ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ଏହି ପଦବୀରେ ପହଞ୍ଚିଛନ୍ତି ତାଙ୍କ ପ୍ରତି ଏହା ଏକ ଆପତ୍ତିଜନକ ମନ୍ତବ୍ୟ । ଏଭଳି ମନ୍ତବ୍ୟ ପାଇଁ ଡ.ଉଦିତ ରାଜ କ୍ଷମା ମାଗିବା ଉଚିତ।

ରାଷ୍ଟ୍ରପତି ମୁର୍ମୁଙ୍କୁ ଉପରେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବା ପରେ ଉଦିତ ରାଜ କ୍ରମାଗତ ଟ୍ବିଟ୍ କରି ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ମୋର ସମ୍ମାନ ରହିଛି । ତାଙ୍କ ଉପରେ ମୋର ମନ୍ତବ୍ୟ ବ୍ୟକ୍ତିଗତ । କଂଗ୍ରେସ ଦଳ ସହ ଏହାର କୌଣସି ସମ୍ପର୍କ ନାହିଁ । ଆଦିବାସୀ ନାଁରେ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଓ ଭୋଟ୍ ମାଗିଲେ । ରାଷ୍ଟ୍ରପତି ହେବା ପରେ ସେ କଣ ଆଉ ଆଦିବାସୀଙ୍କ ପ୍ରତିନିଧିତ୍ଵ କରିବେ ନାହିଁ? ଏସସି/ଏସଟି ନାମରେ ପଦ ପଦବୀ ହାସଲ କରିବା ପରେ ଚୁପ୍ । ଏହା ଦେଖି ଦୁଃଖ ଲାଗୁଛି ।”

Comments are closed.