ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେଲା ‘ଆରଆରଆର’

ଲସ୍ ଆଞ୍ଜେଲସ୍: ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍ଏସ୍ ରାଜମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ । ସରକାରୀ ଭାବେ ମନୋନୀତ ନ ହେବା ପରେ ‘ଆରଆରଆର’ ଏବେ ବେସରକାରୀ (ଜେନେରାଲ କାଟେଗୋରି) ଭାବେ ଏହି ସମ୍ମାନଜନକ ଫିଲ୍ମ ପୁରସ୍କାରର ସବୁ ପ୍ରମୁଖ ବର୍ଗରେ ଆବେଦନ କରିଛି।

ଭାରତ ସରକାର ଏହି ଫିଲ୍ମ ଓସ୍କାର ପୁରସ୍କାରକୁ ପଠାଇବେ ବୋଲି ଏହାର ନିର୍ମାତା ଓ ପ୍ରଶଂସକ ଆଶାବାଦୀ ଥିଲେ । କାରଣ ହଲିଉଡର କିଛି ପ୍ରମୁଖ ଫିଲ୍ମ ମାଗାଜିନ୍ ‘ଆରଆରଆର’କୁ ଉଚ୍ଚ ପ୍ରଶଂସା କରିବା ସହ କିଛି ବର୍ଗରେ ଏହି ଚଳଚ୍ଚିତ୍ର ଓସ୍କାର ପୁରସ୍କାର ପାଇବାକୁ ଦାବିଦାର ବୋଲି କହିଥିଲେ ।

କିନ୍ତୁ ୯୫ ତମ ଓସ୍କାର ପୁରସ୍କାର ପାଇଁ ଭାରତରୁ ସରକାରୀ ଭାବେ ନିର୍ଦ୍ଦେଶକ ପାନ ନଳୀନଙ୍କ ଗୁଜରାଟୀ ଚଳଚ୍ଚିତ୍ର ‘ଛେଲୋ ଶୋ’କୁ ପଠାଯାଇଥିଲା । ଫଳରେ ସୋସିଆଲ ମିଡିଆରେ ‘ଆରଆରଆର’ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା ​​|

କିନ୍ତୁ ଏବେ ରାଜମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ଓସ୍କାରର ସମସ୍ତ ମୁଖ୍ୟ ବର୍ଗରେ ବେସରକାରୀ ଭାବେ ସାମିଲ ହୋଇଛି । ‘ଆରଆରଆର’ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ସ୍କ୍ରିନ୍ ପ୍ଲେ, ସଂଗୀତ, , ସିନେମାଟୋଗ୍ରାଫି, ସାଉଣ୍ଡ ଏବଂ ପ୍ରଡକ୍ସନ୍ ଡିଜାଇନ୍ ଠାରୁ ଆରମ୍ଭ କରି ଭିଏଫ୍ଏକ୍ସ ସହ ମୋଟ ୧୪ଟି ବର୍ଗରେ ଆବେଦନ କରିଛି। ଏହାଛଡ଼ା ଲସ୍ ଆଞ୍ଜେଲ୍ସର ଚାଇନିଜ୍ ଥିଏଟରରେ ଫିଲ୍ମର ମେଗା ସ୍କ୍ରିନିଂ କରାଯାଇଛି |

Comments are closed.