ନ୍ୟାୟ ଦାବି କରୁଥିବା ରେସଲରଙ୍କୁ ନୀରଜ ଚୋପ୍ରା ଓ କପିଳ ଦେବଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରଭାବଶାଳୀ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ନ୍ୟାୟ ପାଇଁ ଲଢ଼ୁଥିବା ରେସଲରଙ୍କୁ ସମର୍ଥନ ଜଣାଇଛନ୍ତି ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଓ କିମ୍ବଦନ୍ତୀ କ୍ରିକେଟର କପିଳ ଦେବ।

ନୀରଜ ଟୁଇଟ୍ କରି କହିଛନ୍ତି, “ଆମ ଆଥଲେଟ୍ ମାନଙ୍କୁ ରାସ୍ତାରେ ଏପରି ନ୍ୟାୟ ଦାବି କରୁଥିବା ଦେଖି ବହୁତ ଦୁଃଖ ଲାଗୁଛି। ସେମାନେ ଆମ ମହାନ ଦେଶର ପ୍ରତିନିଧିତ୍ୱ କରିବାକୁ କଠିଣ ପରିଶ୍ରମ କରିଛନ୍ତି ଏବଂ ଆମକୁ ଗର୍ବିତ କରିଛନ୍ତି।”

ନୀରଜ କହିଛନ୍ତି, ଏକ ଦେଶ ଭାବେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ରକ୍ଷା କରିବା ଆମ ଦାୟିତ୍ବ, ସେ ଆଥଲେଟ୍ ହୁଅନ୍ତୁ ଅବା ଅନ୍ୟ କେହି।

“ଯାହା ଘଟୁଛି ତାହା ହେବା ଉଚିତ ନୁହେଁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ନିରପେକ୍ଷ ଓ ସଚ୍ଚୋଟତାର ସହ ଏହାର ସମାଧାନ ହେବା ଉଚିତ । ନ୍ୟାୟ ପ୍ରଦାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେବା ଉଚିତ।”

ସେହିପରି ଦେଶର ବିଶ୍ବକପ୍ ବିଜୟୀ କ୍ରିକେଟ୍ ଅଧିନାୟକ କପିଳ ଦେବ ମଧ୍ୟ ରେସଲରଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରିଛନ୍ତି । ଏଥିରେ କପିଳ ଲେଖିଛନ୍ତି, “ରେସଲରଙ୍କୁ ନ୍ୟାୟ ମିଳିବ ତ?”

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କ୍ରିକେଟର ତଥା ଅନ୍ୟ ଖେଳାଳିଙ୍କ ନିରବତା ଉପରେ ଷ୍ଟାର ରେସଲର ବିନେଶ ଫୋଗାଟ ପ୍ରଶ୍ନ ଉଠାଇଛନ୍ତି।

ଏକ ଜାତୀୟ ଇଂରାଜୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ବିନେଶ କହିଛନ୍ତି, “ସମଗ୍ର ଦେଶ କ୍ରିକେଟର ପୂଜା କରେ । କିନ୍ତୁ କେହି ଜଣେ ବି କ୍ରିକେଟର କିଛି କହି ନାହାଁନ୍ତି। ଆମେ କହୁନାହୁଁ ଯେ ଆପଣ ଆମ ସପକ୍ଷରେ କୁହନ୍ତୁ, କିନ୍ତୁ ଅନ୍ତତଃ ପକ୍ଷେ ସେମାନେ ଆସି ଏତିକି କୁହନ୍ତୁ ଯେ ନ୍ୟାୟ ମିଳିବା ଉଚିତ୍। କ୍ରିକେଟରଙ୍କ ନିରବତା ମୋତେ ବହୁତ ଦୁଃଖ ଦେଇଛି | ସେ କ୍ରିକେଟର, ବ୍ୟାଡମିଣ୍ଟନ ଖେଳାଳି ଅବା ଆଥଲେଟିକ୍ସ କିମ୍ବା ବକ୍ସର ହୁଅନ୍ତୁ ନା କାହିଁକି।”

‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଆନ୍ଦୋଳନର ଉଦାହରଣ ଦେଇ ବିନେଶ ଫୋଗେଟ୍ କହିଛନ୍ତି ଯେ ଏହା ନୁହେଁ ଯେ ଆମ ଦେଶରେ କୌଣସି ମହାନ ଆଥଲେଟ୍ ନାହାଁନ୍ତି। ଆମେରିକାରେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଆନ୍ଦୋଳନ ସମୟରେ କ୍ରିକେଟ୍ ଖେଳାଳିମାନେ ନିଜର ସମର୍ଥନ ପ୍ରଦର୍ଶନ କରିଥିଲେ। ଆମେ କ’ଣ ଏତେ ଯୋଗ୍ୟ ନୋହୁଁ? ”

ବିନେଶ ଫୋଗାଟ କହିଛନ୍ତି, “ଯେତେବେଳେ ଆମେ ପଦକ ଜିତୁ, କ୍ରିକେଟରମାନେ ଆମକୁ ଅଭିନନ୍ଦନ ଜଣାଇ ଟୁଇଟ୍ କରନ୍ତି | ଏବେ କ’ଣ ହେଲା? ଆପଣ ସିଷ୍ଟମକୁ ଏତେ ଭୟ କରୁଛନ୍ତି ? ବୋଧହୁଏ କିଛି ରହସ୍ୟ ଅଛି? “

Comments are closed.