ଓମିକ୍ରନ୍ ପରେ କରୋନାର ଆଉ ଏକ ଷ୍ଟ୍ରେନ୍ ‘ଡେଲ୍ଟାକ୍ରନ୍’ ଚିହ୍ନଟ

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଓମିକ୍ରନ୍ ଯୋଗୁଁ କରୋନା ବିସ୍ଫୋରଣ ଜାରି ରହିଥିବା ବେଳେ ଏବେ କରୋନାର ଏକ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ସାଇପ୍ରସର ବୈଜ୍ଞାନିକମାନେ କରୋନାର ଏକ ନୂଆ ଷ୍ଟ୍ରେନ୍ ‘ଡେଲ୍ଟାକ୍ରନ୍’ ଚିହ୍ନଟ କରିଛନ୍ତି | ଏହି ନୂଆ ଷ୍ଟ୍ରେନ୍ କରୋନାର ଡେଲଟା ଏବଂ ଓମିକ୍ରନ ଭାରିଆଣ୍ଟର ମିଶ୍ରଣ ବୋଲି କୁହାଯାଇଛି ।

ସାଇପ୍ରସ୍ ମେଲରେ ପ୍ରକାଶିତ ଖବର ସମ୍ପର୍କରେ ଜେରୁଜେଲମ୍ ପୋଷ୍ଟ ଏକ ରିପୋର୍ଟରେ କହିଛି ଯେ ଡେଲଟାକ୍ରନର ଜେନେଟିକ୍ ପୃଷ୍ଠଭୂମି ଡେଲଟା ଭାରିଆଣ୍ଟ ସହ ସମାନ, କିନ୍ତୁ ଏଥିରେ କରୋନା ର ନୂତନ ଭାରିଆଣ୍ଟ ଓମିକ୍ରନ୍ ର ମ୍ୟୁଟେସନ୍ ଅଛି।

କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ଷ୍ଟ୍ରେନ୍ ଅଧିକ ସଂକ୍ରାମକ । ଏହି ଭାରିଆଣ୍ଟ ଯୋଗୁଁ ସାରା ବିଶ୍ୱରେ କରୋନାର ନୂଆ ମାମଲା ହୁ ହୁ ହୋଇ ବଢ଼ିଚାଲିଛି । ଗତ ବର୍ଷ ଡେଲଟା ଭାରିଆଣ୍ଟ ଯୋଗୁଁ ସାରା ବିଶ୍ୱରୁ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ଏପରି ସ୍ଥିତିରେ ଏବେ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ସମସ୍ତଙ୍କ ଭୟ ବଢ଼ଇ
ଦେଇଛି ।

ସାଇପ୍ରସ୍ ଗବେଷକଙ୍କ ଅନୁଯାୟୀ ସାରା ବିଶ୍ୱରେ ଏଯାବତ୍ ଡେଲଟାକ୍ରନର ୨୫ଟି ମାମଲା ରିପୋର୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ଆନୁଷ୍ଠାନିକ ଭାବେ ଏପରି ଷ୍ଟ୍ରେନ୍ ମିଳିଥିବା ନେଇ ସ୍ପଷ୍ଟ କରିନାହାନ୍ତି ।

Comments are closed.