ବିବାଦ ମଧ୍ୟରେ ଆଜି ନୂଆ ସଂସଦ ଭବନର ଉଦଘାଟନ, ସାମିଲ ହେବେନି କଂଗ୍ରେସ ସହ ୨୧ ବିରୋଧୀ ଦଳ

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଦେଶର ନୂଆ ସଂସଦ ଭବନର ଆଜି (ମେ ୨୮) ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ ସଂସଦ ଗୃହକୁ ଲୋକାର୍ପଣ କରିବେ । ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣ ସହ ଏହାର ଉଦ୍‌ଘାଟନ ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଉଦ୍‌ଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସକାଳ ୭ଟା ୩ରୁ ଯଜ୍ଞ ଓ ପୂଜା ଆରମ୍ଭ ହେବ । ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଓ ଶିଖ୍ ଧର୍ମ ସମେତ କେତେକ ଧର୍ମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ ହସ୍ତାନ୍ତର କରୁଛନ୍ତି ତାମିଲନାଡୁର ଅଧୀନମ ସନ୍ଥ ଧର୍ମଗୁରୁ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବେ। ୯ଟାରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ଯକ୍ଷ ହରିବଂଶ ନାରାୟଣ ସିଂହ ଏବଂ ମୋଦି ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ତାମିଲ ଧର୍ମଗୁରୁଙ୍କ ଠାରୁ ରାଜଦଣ୍ଡ ‘ସେଙ୍ଗୋଲ’ ଗ୍ରହଣ କରିବା ସହ ତାକୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିଷ୍ଠା କରିବେ।

ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟରେ ଲୋକସଭାରେ ଆରମ୍ଭ ହେବ। ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବାର୍ତ୍ତା ପଠନ କରାଯିବ । ଏହି ଅବସରରେ ୧୯୨୧ରେ ନିର୍ମିତ ବର୍ତ୍ତମାନର ସଂସଦ ଭବନ ଠାରୁ ଆରମ୍ଭ କରି ନୂଆ ସଂସଦ ଭବନ ନିର୍ମାଣ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ ।
ଇତିମଧ୍ୟରେ ତାମିଲନାଡୁର ଧର୍ମପୁରମରୁ ଆସିଥିବା ୨୧ ଜଣ ଅଧିନମ ସନ୍ଥ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେମାନେ ମନ୍ତ୍ରଚାରଣ ସହ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ’ ହସ୍ତାନ୍ତର କରିଥିଲେ। ୫ ଫୁଟ ଲମ୍ବର ଏହି ସେଲ ଚାନ୍ଦିର ନିର୍ମିତ ହୋଇଥିଲା ବେଳେ ଏଥିରେ ସୁନା ଛାଉଁଣି କରାଯାଇଛି । ଏହାର ଉପରେ ନନ୍ଦୀ ବିରାଜମାନ କରିଛନ୍ତି । ଏହି ସେଙ୍ଗୋଲ ଉଦ୍‌ଘାଟନୀ ସମାରୋହ ଅବସରରେ ଲୋକସଭା ବାଚସ୍ପତିଙ୍କ ଚୌକି ନିକଟରେ ପ୍ରତିଷ୍ଠା କରାଯିବ।

ସେପଟେ ପ୍ରାୟ ୨୧ଟି ବିରୋଧୀ ଦଳ ଏହି ଉଦ୍‌ଘାଟନୀ ଉତ୍ସବକୁ ବର୍ଜନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ନୂଆ ସଂସଦ ଭବନର ଉଦଘାଟନ କରିବାକୁ ସେମାନେ ଦାବି କରିଥିଲେ । କିନ୍ତୁ ବିଜେପି ସମେତ ୨୫ଟି ଦଳର ନେତା ଏହି ଉଦ୍‌ଘାଟନ ସମାରୋହରେ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ଉଭୟ ଲୋକସଭା ଓ ରାଜ୍ୟସଭାର ମୋଟ ୩୯୪ ସଂସଦ, ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ୧୫ ସାଂସଦ, ଏନ୍‌ପିପିର ୨ ସାଂସଦ ଏବଂ ଏନ୍‌ପିପି ଓ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ଜଣେ ସଂସଦ। ଏଥିସହିତ ବିଜେପିର ଅନ୍ୟତମ ସହଯୋଗୀ ଜେଜେପି, ଏଆଇଏଡିଏମକେ, ଏଜେଏସ୍‌ ଏବଂ ଆରପିଆଇ ନେତାମାନେ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି। ସେହିଭଳି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ବିଶିଷ୍ଟ ଚଳଚ୍ଚିତ୍ର ତାରକା, ଗଣମାଧ୍ୟମ ସଂସ୍ଥାପକ ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆମନ୍ତ୍ରିତ କରାଯାଇଛି। ନୂତନ ସଂସଦ ଭବନ ନିର୍ମାଣରେ ପ୍ରାୟ ୬୦ ହଜାର ଶ୍ରମଯୋଗୀ ନିୟୋଜିତ ଥିଲେ । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ ।

Comments are closed.