ଇଡି-ସିବିଆଇର ହେଉଛି ଅପବ୍ୟବହାର: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂସ୍ଥା ଗୁଡିକର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି ୯ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେମାନେ ଇଡି ଏବଂ ସିବିଆଇ ଭଳି ସଂସ୍ଥାର ଅପବ୍ୟବହାରକୁ ନିନ୍ଦା କରିଛନ୍ତି। ବିଜେପିରେ ଯୋଗ ଦେଉଥିବା ନେତାଙ୍କ ବିରୋଧରେ ତଦନ୍ତ ମନ୍ଥର ଗତିରେ ଚାଲିଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଚିଠି ବିଆରଏସ୍ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜେ.କେ.ଏନ.ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ଏଆଇଟିସି ସୁପ୍ରିମୋ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ବାଲାସାହେବ ଠାକରେ (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲେଖିଛନ୍ତି। ଏହି ନେତାମାନେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଛବି ଖରାପ ହେଉଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଏହି ଚିଠିରେ ସେମାନେ ଲେଖିଛନ୍ତି, “ଆମେ ଆଶା କରୁଛୁ ଭାରତ ଏକ ଗଣତାନ୍ତ୍ରିକ ଦେଶ ବୋଲି ଆପଣ ସହମତ ହେବେ । ବିରୋଧୀଦଳର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର ଦର୍ଶାଉଛି ଯେ ଆମେ ଗଣତନ୍ତ୍ରରୁ ଏକଛତ୍ରବାଦ ଆଡ଼କୁ ମୁହାଁଉଛୁ।”

ଚିଠିରେ ବିରୋଧୀ ଦଳର ନେତାମାନେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସତ୍ତ୍ବେ ଅବକାରୀ ନୀତି ଅନିୟମିତତା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ମନୀଷ ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ ବୋଲି ସ୍ପଷ୍ଟ ଏବଂ ଏହା ଏକ ରାଜନୈତିକ ଷଡଯନ୍ତ୍ରର ପରିମାଣ। ସିସୋଦିଆଙ୍କୁ ଗିରଫ ନେଇ ସାରା ଦେଶରେ ଲୋକଙ୍କ ମନରେ କ୍ରୋଧ ରହିଛି । ୨୦୧୪ ମସିହାରୁ ଅନୁସନ୍ଧାନକାରୀ ସଂସ୍ଥା ବିରୋଧୀ ଦଳ ନେତାମାନଙ୍କୁ ଟାର୍ଗେଟ କରିଆସୁଛି ବୋଲି ୯ ବିରୋଧୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ।

ଏହି ଚିଠିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ
ଶର୍ମାଙ୍କ ନାମ ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛି, “କୌତୁହଳର ବିଷୟ ହେଉଛି ବିଜେପିରେ ଯୋଗ ଦେଇଥିବା ବିରୋଧୀ ଦଳର ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାମାନଙ୍କର ତଦନ୍ତ ଗତି ମନ୍ଥର ହୋଇଯାଇଛି । ଉଦାହରଣ ସ୍ୱରୂପ ଆସାମର ପୂର୍ବତନ କଂଗ୍ରେସ ସଦସ୍ୟ ତଥା ଆସାମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ୨୦୧୪ ମସିହାରେ ସିବିଆଇ ଏବଂ ଇଡି ଗିରଫ କରିଥିଲା।” ୨୦୧୫ ରେ ସାରଦା ଚିଟ୍ ଫଣ୍ଡ ସ୍କାମର ଯାଞ୍ଚ କରିଥିଲେ। ତଥାପି ସେ ବିଜେପିରେ ଯୋଗଦେବା ପରେ ମାମଲା ଆଉ ଆଗକୁ ବଢିନଥିଲା। ସେହିଭଳି ପୂର୍ବତନ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରୟ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଇଡି ଓ ସିବିଆଇ ସ୍କାନରରେ ଥିଲେ, କିନ୍ତୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେବା ପରେ ଉଭୟଙ୍କ ବିରୋଧରେ ତଦନ୍ତ ଧିମେଇ ଯାଇଛି ।

ରାଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦକୁ ବିରୋଧୀ ନେତାମାନେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ଏବଂ ଅନେକ ସମୟରେ ରାଜ୍ୟ ଶାସନରେ ବାଧା ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Comments are closed.