ସବୁ କରୋନା ମୃତ୍ୟୁ ମାମଲା ଚିକିତ୍ସା ଜନିତ ଅବହେଳା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଦେଶରେ ଘଟିଥିବା ସବୁ ମୃତ୍ୟୁକୁ ଚିକିତ୍ସା ଜନିତ ଅବହେଳା ବୋଲି କୁହାଯାଇ ପାରିବ ନାହିଁ । ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଦ୍ୱିତୀୟ ଲହର ସମୟରେ ଚିକିତ୍ସା ଜନିତ ଅବହେଳା ପାଇଁ ଲୋକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ପିଟିସନରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଏବଂ ହିମା କୋହଲିଙ୍କୁ ନେଇ ଖଣ୍ଡପୀଠ ଆବେଦନକାରୀ ଦୀପକ ରାଜ ସିଂହଙ୍କୁ ତାଙ୍କର ଏହି ପ୍ରସ୍ତାବ ନେଇ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଦ୍ୱିତୀୟ ଲହରର ପ୍ରଭାବ ପୂରା ଦେଶ ଉପରେ ପଡିଥିଲା । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ସମସ୍ତେ ଚିକିତ୍ସା ଜନିତ ଅବହେଳାର ଶିକାର ହୋଇଥିଲେ ବୋଲି ଆମେ କହିପାରିବା ନାହିଁ । ଆବେଦନକାରୀଙ୍କ କ୍ଷତିପୂରଣ ଯୁକ୍ତି ସମ୍ପର୍କରେ କୋର୍ଟ ଜୁନ୍ ୩୦ରେ କେନ୍ଦ୍ର ସରକାରଙ୍କୁ ଦେଇଥିବା ନିଜ ରାୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । କୋଟଁ କହିଥିଲେ ଯେ, ଆମେ ଚିକିତ୍ସା ଜନିତ ଅବହେଳା ଦୃଷ୍ଟିରୁ ନୁହେଁ ବରଂ ମାନବିକତା ଦୃଷ୍ଟିକୋଣରୁ କରୋନା ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛୁ । ସରକାର ଏନେଇ ଗାଇଡ୍‌ଲାଇନ୍ ସ୍ଥିର କରିନାହାନ୍ତି । ଯଦି ଆପଣଙ୍କ (ଆବେଦନକାରୀ)ଙ୍କ ପାଖର ଏନେଇ କୌଣସି ପ୍ରସ୍ତାବ ଅଛି ତେବେ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କ ପାଖକୁ ଯାଆନ୍ତୁ ।

Comments are closed.