ଏବେ ହ୍ବାଟସଆପ୍ ରେ ବି କରିହେବ ଟିକା ପାଇଁ ସ୍ଲଟ୍ ବୁକିଂ, କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଏବେ କୋଭିଡ-୧୯ ଟିକା ପାଇଁ ସ୍ଲଟ ବୁକିଂ ହ୍ବାଟସଆପ୍ ମାଧ୍ୟମରେ ବି କରାଯାଇପାରିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କେବଳ କୋ-ଓ୍ବିନ୍ ଆପ୍ ମାଧ୍ୟମରେ କରାଯାଉଥିଲା | ତେବେ କେତେକ ସ୍ଥାନରେ ଟିକା କେନ୍ଦ୍ରକୁ ଯାଇ ପଞ୍ଜୀକରଣ ସହ ସେହି ଦିନ ହିଁ ଟିକା ନେବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

କୋ-ଓ୍ବିନ୍ ଆପ୍ ମାଧ୍ୟମରେ ଲୋକମାନେ ଅନେକ ଥର ସ୍ଲଟ୍ ପାଇବାରେ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହେଉଥିଲେ | ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ହ୍ବାଟସଆପ୍ ଜରିଆରେ ସ୍ଲଟ୍ ବୁକ୍ ସୁବିଧା ଲୋକଙ୍କୁ ଦେଇଛନ୍ତି। ଏଥିପାଇଁ ସରକାର ଏକ ନମ୍ବର ୯୦୧୩୧୫୧୫୧୫ ଜାରି କରିଛନ୍ତି। ଏହା ହେଉଛି କେନ୍ଦ୍ର ସରକାରଙ୍କ କରୋନା ହେଲ୍ପ ଡେସ୍କ ନମ୍ବର। ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ‘ବୁକ୍ ସ୍ଲଟ୍’ ଲେଖି ଏହାକୁ ଏହି ନମ୍ବରରେ ପଠାଇବାକୁ ପଡିବ | ଟିକା ପାଇଁ ସ୍ଲଟ୍ ବୁକିଂ ସହ ଆପଣ ହ୍ବାଟସଆପ୍ ରେ ନିକଟସ୍ଥ ଟିକା କେନ୍ଦ୍ର ‌‌ସମ୍ପର୍କରେ ସୂଚନା ବି ପାଇପାରିବେ ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୫୮,୮୯,୯୭,୮୦୫ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ଆଉ ୬୩,୮୫,୧୯୮ ଡୋଜ ଦିଆଯାଇଛି |

Comments are closed.