କାନପୁର ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୩୪୫, ନ୍ୟୁଜିଲାଣ୍ଡ ୧୨୯/୦

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭ୍ରମଣକାରୀ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ​​| ଭାରତକୁ ୩୪୫ ରନରେ ଅଲ୍ଆଉଟ୍ କରିବା ପରେ ନ୍ୟୁଜିଲାଣ୍ଡର ଓପନିଂ ଯୋଡି ଭାରତୀୟ ବୋଲରମାନଙ୍କୁ ପାଣି ପିଆଇ ଦେଇଛନ୍ତି ।

ଭାରତର ୩୪୫ ରନ୍ ଜବାବରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୧୨୯ ରନ୍ କରିଛି ​​| ୱିଲ୍ ୟଙ୍ଗ୍ ୭୫ ଏବଂ ଟମ୍ ଲାଥାମ୍ ୫୦ ରନ୍ କରି ଅପରାଜିତ ରହିଛନ୍ତି | ନ୍ୟୁଜିଲାଣ୍ଡର ୧୦ଟି ଯାକ ଓ୍ବିକେଟ୍ ଅକ୍ଷତ ରହିଥିବା ବେଳେ ଦଳ ଏବେ ୨୧୭ ରନ୍ ପଛରେ ରହିଛି ।

୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଭାରତୀୟ ମାଟିରେ ଏକ ଦଳ ଶତକୀୟ ଭାଗିଦାରୀ କରିଛି । ଏହାପୂର୍ବରୁ ୨୦୧୭ରେ ଇଂଲଣ୍ଡର ଆଲାଷ୍ଟାୟର୍ କୁକ୍ ଏବଂ କିଟନ୍ ଜେନିଙ୍ଗ୍ସ ଭାରତରେ ଏକ ଶତକୀୟ ଭାଗିଦାରୀ କରିଥିଲେ।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ମଧ୍ୟମ ପେସର୍ ଟିମ୍ ସାଉଥୀ ଚମତ୍କାର ପ୍ରଦର୍ଶନ ସହ ପାଞ୍ଚଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଦିନରେ କିଓ୍ବି ବୋଲରଙ୍କ ନିକଟରେ ଭାରତୀୟ ନିମ୍ନଭାଗ ବ୍ୟାଟିଂ ଆତ୍ମସମର୍ପଣ କରିଥିଲା । ପ୍ରଥମ ଦିନରେ ୪ ଓ୍ବିକେଟ୍ ହରାଇ ୨୫୮ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନରେ ଆଉ ମାତ୍ର ୮୭ ରନ୍ ଯୋଗ କରିବା ପରେ ଆଉଟ୍ ହୋଇଯାଇଥିଲା। ଡେବ୍ୟୁଟାଣ୍ଟ ଶ୍ରେୟସ୍ ଆୟର ଭାରତ ପାଇଁ ୧୦୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଭାରତର ୧୬ତମ ବ୍ୟାଟ୍ସମ୍ୟାନ୍ ଭାବେ ନିଜ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିଲେ ଆୟର ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଟେଷ୍ଟ କ୍ରିକେଟ୍ ରେ ୧୩ତମ ଥର ପାଇଁ ଏକ ଇନିଂସରେ ପାଞ୍ଚ କିମ୍ବା ଅଧିକ ୱିକେଟ୍ ନେଇଥିଲେ। ଏଥି ସହିତ ସାଉଦି ଭାରତ ବିପକ୍ଷରେ ତୃତୀୟ ଥର ପାଇଁ ପାଞ୍ଚ ଓ୍ବିକେଟ୍ ସଫଳତା ପାଇଛନ୍ତି। ସାଉଦିଙ୍କ ବ୍ୟତୀତ କାଇଲ୍ ଜାମିସନ୍ ତିନୋଟି ଏବଂ ଅଜାଜ ପଟେଲ ଦୁଇଟି ୱିକେଟ୍ ନେଇଥିଲେ।

Comments are closed.