ହତ୍ୟା ଧମକ ପାଉଥିବା ବିଚାରପତି ଅଭିଯୋଗ କଲେ ବି ଶୁଣୁନି ସିବିଆଇ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାନବାଦ୍ ଜଜ୍ ହତ୍ୟା ମାମଲାରେ ବିଚାରପତିଙ୍କ ଅଭିଯୋଗ ଉପରେ ସିବିଆଇର ମନୋଭାବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଦେଶରେ ଏପରି ଅନେକ ମାମଲା ରହିଛି ଯେଉଁଥିରେ ଗ୍ୟାଙ୍ଗଷ୍ଟର ଓ ହାଇ ପ୍ରୋଫାଇଲ୍ ଲୋକ ଜଡିତ ଅଛନ୍ତି। ଏପରି ବ୍ୟକ୍ତି ବିଚାରପତିମାନଙ୍କୁ ଧମକ ଦେଉଛନ୍ତି, କେତେକ କ୍ଷେତ୍ରରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି, କିନ୍ତୁ ଏଥିପ୍ରତି ସିବିଆଇ ଉଦାସୀନ ଆଭିମୁଖ୍ୟ ଗ୍ରହଣ କରିଛି। ଏହା ଲକ୍ଷ୍ୟ କରାଯାଇଛି ଯେ ସିବିଆଇର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଏଭଳି ମାମଲାରେ ଆମେ ସିବିଆଇ ଆଭିମୁଖ୍ୟରେ ପରିବର୍ତ୍ତନ ଚାହୁଁଛୁ ବୋଲି କୋର୍ଟ କହିଛନ୍ତି | ଧାନବାଦ ବିଚାରପତିଙ୍କ ହତ୍ୟା ମାମଲାରେ ସିବିଆଇକୁ ନୋଟିସ ଜାରି କରାଯାଇଛି। ସୋମବାର ଏହି ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି କହିଛନ୍ତି ଯେ ୨୦୧୯ରେ ଏଭଳି ଏକ ମାମଲାରେ କେନ୍ଦ୍ରକୁ ଜବାବ ତଲବ କରାଯାଇଥିଲା, କିନ୍ତୁ କେନ୍ଦ୍ର ତରଫରୁ କୌଣସି ଉତ୍ତର ମିଳିନଥିଲା। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏହାର ଜବାବ ଦେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି ଘଟଣାମାନ ମଧ୍ୟ ଘଟିଛି ଯେଉଁଠାରେ ଗ୍ୟାଙ୍ଗଷ୍ଟର କିମ୍ବା ହାଇ ପ୍ରୋଫାଇଲ୍ ଅଭିଯୁକ୍ତମାନେ ନିମ୍ନ ଅଦାଲତର ଏବଂ ହାଇକୋର୍ଟର ବିଚାରପତିଙ୍କୁ ଧମକ ଦେଉଛନ୍ତି। ସେମାନେ ବିଚାରପତିଙ୍କୁ ଶାରୀରିକ କିମ୍ବା ମାନସିକ ସ୍ତରରେ ହଇରାଣ କରନ୍ତି। ଏପରିକି ସେମାନେ ହ୍ବାଟସଆପ୍ ଏବଂ ଫେସବୁକରେ ଧମକପୂର୍ଣ୍ଣ ବାର୍ତ୍ତା ପଠାନ୍ତି। ଯଦି ଅଦାଲତଙ୍କ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ନଥାଏ ତେବେ ସେମାନେ ନ୍ୟାୟପାଳିକାର ଛବି ଖରାପ କରିବାକୁ ପଛାଉ ନାହାନ୍ତି। ବିଚାରପତିମାନଙ୍କୁ ଧମକ ମାମଲାରେ ଯଦି ପୋଲିସ କିମ୍ବା ଅନ୍ୟ ସରକାରୀ ସଂସ୍ଥାକୁ ଅଭିଯୋଗ ଦିଆଯାଏ, ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ସିବିଆଇ, ଆଇବି ଭଳି ଏଜେନ୍ସି ନ୍ୟାୟପାଳିକା ସହିତ ସହଯୋଗ କରନ୍ତି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.