ଭାରତର ପ୍ରଥମ ମହିଳା ପାଇଲଟ୍ ସରଳା ଥୁକ୍ରାଲଙ୍କ ସମ୍ମାନରେ ଗୁଗୁଲର ଡୁଡଲ୍

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ପାଇଲଟ୍ ସରଳା ଥୁକ୍ରାଲଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ଗୁଗୁଲ ଆଜି ତାଙ୍କ ସମ୍ମାନାର୍ଥେ ଡୁଡଲ ତିଆରି କରି ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲ୍ ଜରିଆରେ ଗୁଗୁଲ୍ ତାଙ୍କର ଐତିହାସିକ ସଫଳତା ପ୍ରଦର୍ଶିତ କରିଛି | ସରଳା ଥୁକ୍ରାଲ ୧୯୩୬ ମସିହାରେ ମାତ୍ର ୨୧ ବର୍ଷ ବୟସରେ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଥିଲେ। କଳାକାର ବୃନ୍ଦା ଜାଭେରୀ ତାଙ୍କ ସମ୍ମାନାର୍ଥେ ଏହି ଡୁଡଲ୍ ପ୍ରସ୍ତୁତ କରିଛନ୍ତି |

ଗୁଗୁଲ୍ କହିଛି, “ସରଳା ଥୁକ୍ରାଲ୍ ଦେଶର ସମସ୍ତ ମହିଳାଙ୍କ ପାଇଁ ଏକ ଆଦର୍ଶ। ଏଥିପାଇଁ ଆମେ ଚଳିତ ବର୍ଷ ତାଙ୍କର ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ଏହି ଡୁଡଲ୍ ଉତ୍ସର୍ଗ କରିଛୁ।” ଗୁଗୁଲ୍ କହିଛି, “୨୧ ବର୍ଷ ବୟସରେ, ପାରମ୍ପରିକ ଶାଢ଼ୀ ପିନ୍ଧି ସରଳା ଥୁକ୍ରାଲ୍ ଏକ ଛୋଟ ଦୁଇ ଡେଣା ବିଶିଷ୍ଟ ଏୟାରକ୍ରାଫ୍ଟ କକପିଟ୍ ଭିତରକୁ ଯାଇ ଏକାକୀ ବିମାନ ଉଡ଼ାଣ କରିଥିଲେ। ଏଥିସହ ସେ ଆକାଶର ଉଚ୍ଚତାକୁ ସ୍ପର୍ଶ କରି ଏକ ନୂଆ ଇତିହାସ ରଚିଥିଲେ ।

ସାରଲା ଥୁକ୍ରାଲ ଆଜିର ଦିନରେ ଅର୍ଥାତ୍ ୮ ଅଗଷ୍ଟ ୧୯୧୪ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ଲାହୋର (ପାକିସ୍ତାନ)କୁ ଯାଇଥିଲେ। ତାଙ୍କ ସ୍ୱାମୀ କ୍ୟାପଟେନ ପିଡି ଶର୍ମା ଜଣେ ଏୟାରମେଲ ପାଇଲଟ ଥିଲେ। ତାଙ୍କ ସ୍ୱାମୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସରଳା ଥୁକ୍ରାଲ ପାଇଲଟ ହେବା ପାଇଁ ତାଲିମ ଆରମ୍ଭ କରିଥିଲେ। ଯେତେବେଳେ ସରଳା ଥୁକ୍ରାଲ ପ୍ରଥମେ ୧୯୩୬ରେ ଦୁଇ ଡେଣା ବିଶିଷ୍ଟ ଏକ ଛୋଟ ବିମାନ ଉଡ଼ାଇଲେ, ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ଏବଂ ସେ ଚାରି ବର୍ଷର ଏକ ଝିଅର ମାଆ ଥିଲେ ।

ସରଳା ଥୁକ୍ରାଲଙ୍କ ଏହି ଐତିହାସିକ ସଫଳତା କେବଳ ଆରମ୍ଭ ମାତ୍ର ଥିଲା ଏବଂ ଏହା ଏତିକିରେ ବନ୍ଦ ହୋଇନଥିଲା | ଲାହୋର ଫ୍ଲାଇଙ୍ଗ କ୍ଲବର ପ୍ରଶିକ୍ଷାର୍ଥୀ ଭାବରେ ସେ ୧୦୦୦ ଘଣ୍ଟା ଉଡ଼ାଣ ସମୟ ପୂରଣ କରି ପାଇଲଟ ଲାଇସେନ୍ସ ପାଇବାରେ ମଧ୍ୟ ସଫଳ ହୋଇଥିଲେ। ଏଭଳି କରିବାରେ ସେ ମଧ୍ୟ ପ୍ରଥମ ଭାରତୀୟ ଥିଲେ।

୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ପରେ ସରଳା ଥୁକ୍ରାଲ ଭାରତକୁ ଫେରିଥିଲେ। ସେ ଦିଲ୍ଲୀରେ ରହି ପେଣ୍ଟିଂ କାର୍ଯ୍ୟ ଜାରି ରଖିଥିଲେ ଏବଂ ପରେ ଅଳଙ୍କାର ଏବଂ ଡ୍ରେସ ଡିଜାଇନରେ ତାଙ୍କ କ୍ୟାରିୟର ଗଢିଥିଲେ। ୧୯୪୮ ମସିହାରେ ସେ ଦ୍ୱିତୀୟ ଥର ପାଇଁ ବିବାହ କରିଥିଲେ | ମାର୍ଚ୍ଚ ୧୫, ୨୦୦୮ରେ ତାଙ୍କର ଦେହାନ୍ତ ହୋଇଥିଲା।

Comments are closed.