ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି 

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ ପରେ ଏଠାରେ ପୋଲିସ୍ ମୁତୟନ ବୃଦ୍ଧି କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ୱାଧୀନତା ଦିବସ ପୂର୍ବରୁ ଏଭଳି ଧମକ ମିଳିଥିବା ବେଳେ ପୋଲିସ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ। ବିମାନ ବନ୍ଦରକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି। ସନ୍ଦିଗ୍ଧ ମାନଙ୍କୁ ପଚରାଉଚରା କରାଯାଉଛି। ତଲାସୀ ଅଭିଯାନକୁ ମଧ୍ୟ ଜୋରଦାର କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇଦେବାକୁ ଧମକ ଦେଇଥିଲା। ଏହାପରେ ଏଠାରେ ନିୟୋଜିତ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଇ ଦିଆଯାଇଛି | ଦିଲ୍ଲୀ ପୋଲିସକୁ ଏକ ଇମେଲ ମାଧ୍ୟମରେ ବିମାନ ବନ୍ଦରକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦିଆଯାଇଛି। ସୂଚନା ଅନୁଯାୟୀ ଏହି ମେଲ୍ ର ଲିଙ୍କ୍ ଆତଙ୍କବାଦୀ ସଂଗଠନ ଅଲ କାଏଦା ସହ ରହିଛି ବୋଲି କୁହାଯାଉଛି। ଏଠାରେ ଆଲର୍ଟ ଜାରି କରାଯିବା ସହ ପାର୍କିଂ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ପୋଲିସର ଯାଞ୍ଚ୍ ଅଭିଯାନ ଜୋରଦାର କରାଯାଇଛି।

ସେପଟେ ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ବେଆଇନ ଅସ୍ତ୍ରଶସ୍ତ୍ରର ଜବତ କରିଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟପ୍ରଦେଶରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ବୋଲି ପୋଲିସ କହିଛି ।

Comments are closed.