ଭାରତର ତୀର୍ଥସ୍ଥଳ ( ବ୍ରଜମଣ୍ଡଳ )

‘ବର୍ଷାଣାମ ଭାରତ ଶ୍ରେଷ୍ଠ’। ସମଗ୍ର ପୃଥିବୀରେ ଭାରତ ବର୍ଷ ଶ୍ରେଷ୍ଠ। କାରଣ ଏହାର ପ୍ରତ୍ୟେକଟି ଶିଳା ଶାଳଗ୍ରାମ ତୁଲ୍ୟ ହୋଇଥିବା ବେଳେ ଏହାର ପ୍ରତ୍ୟେକଟି ନଦ ନଦୀର ଜଳ ହେଉଛି ଗଙ୍ଗାଜଳ। ଭାରତ ବର୍ଷର ପ୍ରତ୍ୟେକଟି ଅଣୁ ଅଣୁରେ ପୁରୀ ରହିଛି ଆଧ୍ୟାତ୍ମିକତାର ସ୍ଫରଣ। ବାସ୍ତବରେ ଏହା ଦେବଭୂମି। ତେଣୁ ତ ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ପ୍ରତିଟି ମଣିଷ ଏ ଦେଶକୁ ପୁଣ୍ୟ ବୈକୁଣ୍ଠ ପୁର ବୋଲି ବିଶ୍ୱାସ କରେ। ଭଗବାନଙ୍କ ର ଯେତେସବୁ ଅବତାର କଥା ଆମେ ଶ୍ରବଣ କରିଛେ ତାହା ଏହି ପୁଣ୍ୟ ଭୂମିରେ ସଂଘଟିତ ହୋଇଛି। ତେବେ ଆମ ମାନଙ୍କ ମନରେ ସ୍ୱତଃ ଏକ ପ୍ରଶ୍ନ ଉଠିପାରେ ଅନ୍ୟଯେଉଁ ଦେଶସବୁ ରହିଲେ ସେମାନେ କଣ ପତିତ? ଉତ୍ତର ରହିବ ନା, ସେସବୁ ପତିତ ନୁହଁନ୍ତି। ସମଗ୍ର ବିଶ୍ୱର ସ୍ରଷ୍ଟା କେବଳ ଜଣେ। କିନ୍ତୁ ସେଇ ସ୍ରଷ୍ଟାଙ୍କ ବିଶେଷ ପରି ପ୍ରକାଶ ଘଟିଛି ଏ ଭାରତ ବର୍ଷରେ। ଧନ୍ୟ ଆମ୍ଭେମାନେ। ଯେଉଁମାନେ ଏହି ପବିତ୍ର ମାଟିରେ ଜନ୍ମଲାଭ କରିଛେ। କାରଣ ଦେବତା ମାନେ ମଧ୍ୟ ଏହି ପୁତ ପବିତ୍ର ସ୍ଥଳରେ ମଣିଷ ଶରୀରରେ ଜନ୍ମ ନେବାକୁ ଲାଳାୟିତ। ଏହି ପୁତ ଭୂମିରେ ରହିଛି ଭଗବାନଙ୍କ ବିଭିନ୍ନ ଅବତାରର ଲୀଳାଭୂମି, ମାନବୀୟ ଲୀଲାକ୍ରମର ସ୍ବାକ୍ଷର, ତାଙ୍କ ଭକ୍ତ ବତ୍ସଳ ତାର ପରିଚୟ ଓ ପୁରାଣ ପ୍ରସିଦ୍ଧ ତୀର୍ଥକ୍ଷେତ୍ର। ଯାହାକୁ ନିଜ ଜୀବନ କାଳରେ ସମସ୍ତ ଦର୍ଶନ ଓ ପରିଭ୍ରମଣ କରିବା ଅସମ୍ଭବ। ଅସମ୍ଭବ ଏଥିପାଇଁ ଆଜିର ଚଳଚଞ୍ଚଳ ବିଷୟ ବାସନା ଜାଲରେ ଛନ୍ଦିହୋଇ ମଣିଷ କଣ୍ଠଗ୍ରତ। ଅନେକ ଆର୍ଥିକ ଅସୁବିଧା ବଶତଃ ଏ ଦୁର୍ଲଭ ସୁଯୋଗରୁ ବଂଚିତ।

ଏହି ପବିତ୍ର ଭୂମିରେ ଆମେ ଜନ୍ମ ନେଇ ଯଦି ଏହି ଭୂମିର ମହତ୍ତ୍ୱ ନ ଜାଣିବା ତେବେ ଏ ମନୁଷ୍ୟ ଜନ୍ମ ବୃଥା। ଏହି ମହତ କଥା କୁ ବିଚାରକୁ ନେଇ ଆମେ ଆରମ୍ଭ କରିବାକୁ ଯାଉଛୁ ଏକ ଅଭିନବ ପ୍ରୟାସ ‘ଭାରତର ତୀର୍ଥସ୍ଥଳ’। ଏହା ମାଧ୍ୟମରେ ଭାରତ ବର୍ଷ ରେ ଥିବା ଅନେକ ତୀର୍ଥସ୍ଥଳ ସମ୍ବନ୍ଧରେ ପ୍ରକାଶ କରିବୁ ତାର ମହତ୍ତ୍ୱ ଓ ମହିମା। ଜଣେ ସେ କ୍ଷେତ୍ର ଦର୍ଶନ ନକରି ପାରିଲେ ନାହିଁ ଅନ୍ତତଃ ପକ୍ଷେ ସେ ସମ୍ବନ୍ଧରେ ଜାଣି ଆତ୍ମତୃପ୍ତି ଲାଭ କରି ପାରିବ। ଭଗବାନ ଙ୍କ ପବିତ୍ର ଲୀଳା କ୍ଷେତ୍ର ବିଷୟ ରେ ଶ୍ରବଣ ବା ପଠନ ମଧ୍ୟ ସାକ୍ଷାତ ଦର୍ଶନର ଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହିକ୍ରମରେ ଆମେ ଆରମ୍ଭ କରିବାକୁ ଯାଉଛୁ ଭଗବାନଙ୍କ ପବିତ୍ର ଲୀଳାକ୍ଷେତ୍ର ଶ୍ରୀଧାମ ବୃନ୍ଦାବନ ବା ବ୍ରଜମଣ୍ଡଳ ସମ୍ପର୍କରେ। ଆଶା କରୁଛୁ ପାଠକେ ସାଦରେ ଗ୍ରହଣ କରିବେ।

ବ୍ରଜ କହିଲେ ଶ୍ରୀ ମଥୁରାମଣ୍ଡଳ ବର୍ତ୍ତି ଚୌରାଶି କୋଶ ମୟ ଶ୍ରୀକୃଷ୍ଣଙ୍କ ଲୀଳସ୍ଥଳୀକୁ ବୁଝାଇ ଥାଏ। ମଣ୍ଡଳ କହିଲେ ବୃତାକାର ବେଷ୍ଟନ ବା ପରିଧିକୁ ବୁଝାଏ। ବ୍ରଜମଣ୍ଡଳ କହିଲେ ଚୌରାଶି କ୍ରୋଶ ଧାମକୁ ବୁଝାଇଥାଏ। ବ୍ରଜ ଶବ୍ଦର ଅର୍ଥ ବ୍ୟାପକତା। ସ୍କନ୍ଦପୁରାଣ ରେ କୁହାଯାଇଛି –
ଗୁଣତିତମ ପରମ ବ୍ରହ୍ମ ବ୍ୟାପକଂ ବ୍ରଜ ଉଚ୍ୟତେ।
ସଦାନନ୍ଦ ପରଂଜ୍ୟୋତି ମୁକ୍ତନଂ ପଦ ମବ୍ୟୟମ।।

Comments are closed.