ଏବେ ବିଦେଶୀ ନାଗରିକ ଭାରତରେ କରୋନା ଟିକା ନେଇପାରିବେ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏବେ ବିଦେଶୀ ନାଗରିକମାନେ ମଧ୍ୟ ଭାରତରେ କରୋନା ଟିକା ନେଇପାରିବେ। କୋଭିଡ୍-୧୯ ଟିକା ନେବା ପାଇଁ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ କୋୱିନ୍ ପୋର୍ଟାଲରେ ପଞ୍ଜିକୃତ କରିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ଭାରତରେ ରହୁଥିବା ବିଦେଶୀ ନାଗରିକମାନେ କୋୱିନ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବରେ ବ୍ୟବହାର କରିପାରିବେ | ଥରେ ସେମାନେ ଏହି ପୋର୍ଟାଲରେ ପଞ୍ଜୀକୃତ ହୋଇଗଲେ, ସେମାନେ ଟୀକାକରଣ ପାଇଁ ଏକ ସ୍ଲଟ୍ ପାଇବେ |

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବହୁ ସଂଖ୍ୟକ ବିଦେଶୀ ନାଗରିକ ଭାରତରେ ବିଶେଷ କରି ମେଟ୍ରୋରେ ରହୁଛନ୍ତି। ଏହି ଅଞ୍ଚଳରେ ଜନସଂଖ୍ୟା ଘନତା ଅଧିକ ଥିବାରୁ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ | ଏହିପରି କୌଣସି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବା ଜରୁରୀ । ଏହି ପଦକ୍ଷେପ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କୁ କରୋନା ସଂକ୍ରମଣରୁ ନିଶ୍ଚିତ ସୁରକ୍ଷା ଦେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Comments are closed.